Categories: ରାଜ୍ୟ

ଲକ୍‌ଡାଉନ ପ୍ରଭାବ: ରାସ୍ତାରେ କ୍ଷୀର ଢାଳିଲେ ଚାଷୀ

ବାଲିଅନ୍ତା,୨୯ା୩(ଡି.ଏନ୍‌.ଏ.)-କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ୨୧ଦିନିଆ ଲକଡାଉନ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜଧାନୀ ଉପକଣ୍ଠ ବାଲିଅନ୍ତା ବ୍ଲକର ଜଣେ ଦୁଗ୍ଧ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ବ୍ଲକର ଜୟଦେବ ପଞ୍ଚାୟତ ଅଧୀନ ଫିରିଫିରା ଗ୍ରାମର ଚାଷୀମାନେ ସପ୍ତାହ ହେବ କ୍ଷୀର ନ ବିକ୍ରି କରିପାରି ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଛନ୍ତି। ସୂଚନାଯୋଗ୍ୟ, ଏହି ଗ୍ରାମର ପ୍ରାୟ ୨୦୦ ଗୋପାଳ ପରିବାର କ୍ଷୀର, ଛେନା, ପନିର ଓ ଦହି ବିକ୍ରି କରି ପରିବାର ଚଳାଉଛନ୍ତି। ପ୍ରାୟତଃ ଭୁବନେଶ୍ୱର ମାର୍କେଟ ଉପରେ ଏହି ଚାଷୀମାନେ ନିର୍ଭର କରିଥାନ୍ତି। ଭୁବନେଶ୍ୱରର ବିଭିନ୍ନ ହୋଟେଲ, କ୍ୟାଣ୍ଟିନ ଓ ମିଠା ଦୋକାନକୁ ଦୁଗ୍ଧଜାତ ସାମଗ୍ରୀ ପଠାଯାଇଥାଏ। କିନ୍ତୁ ଲକଡାଉନ ଯୋଗୁ ସବୁ ବନ୍ଦ ହୋଇଯାଇଛି। ଫଳରେ କୌଣସି ସାମଗ୍ରୀ ବିକ୍ରି ନ ହେବାରୁ ଚାଷୀମାନେ ହଟହଟା ହୋଇଛନ୍ତି। ଏହି ସମୟରେ ସାମଗ୍ରୀ ନ ବିକ୍ରି ହେବାକୁ ପୁଣି ଗାଈ, ମଇଁଷିଙ୍କୁ ଦାନା ଦେବାରେ ଅସୁବିଧା ହେଉଥିବା ଗ୍ରାମର ଦିଲୀପ ବେହେରା ଅଭିଯୋଗ କରିଛନ୍ତି। ଗ୍ରାମର ବିଭିନ୍ନ ଗୋପାଳଙ୍କ ଘରେ ଏବେ ୫୦୦୦ ଲିଟ କ୍ଷୀର, ଛେନା ମହଜୁଦ ରହିଛି। ତେଣୁ ଏମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share