ଲକ୍‌ଡାଉନ ପ୍ରଭାବ: ସାଥିଙ୍କ କେଶ କାଟୁଛନ୍ତି ପୋଲିସ

ଯୋଧପୁର,୨୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି। ଏହି ସମୟରେ ଆଗ ଧାଡିର ଯୋଦ୍ଧା ସାଜିଥିବା ପୋଲିସଙ୍କର କିଛି ଫଟୋ ଓ ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ରାଜସ୍ଥାନ ଯୋଧପୁରର ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯାହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି। ଯୋଧପୁର ବିଜୟ ଚୌକରେ ଡ୍ୟୁଟିରେ ଥିବା ବେଳେ ଜଣେ ହେଡ କନଷ୍ଟେବଳଙ୍କ କେଶ କାଟୁଛନ୍ତି ଆଉ ଜଣେ କନଷ୍ଟେବଳ। ଲକ୍‌ଡାଉନ ପାଇଁ ସେଲୁନ ବନ୍ଦ ରହିବା ଓ ପୋଲିସ ମାନେ ସେମାନଙ୍କ ଡ୍ୟୁଟି ସାରି ଘରକୁ ଯିବାକୁ ସମୟ ପାଉ ନ ଥିବାରୁ ଏବେ ଏମାନେ ରାସ୍ତା ଉପରେ ପରସ୍ପରକୁ ସାହାଯ୍ୟ କରିବାକୁ ଏପରି କରିୁଥିବା ଦେଖାଯାଇଛି। ଯୋଧପୁରର କର୍ଫ୍ୟୁ ପ୍ରଭାବିତ ସହରରେ ହେଡ୍‌ କନଷ୍ଟେବଳ ପ୍ରମୋଦ ଓ କନଷ୍ଟେବଳ ପରମାରାମଙ୍କ ଡ୍ୟୁଟି ପଡିଛି। ଏହି ସମୟରେ ସକାଳୁ ସକାଳୁ ସାଥିଙ୍କୁ ସାହାଯ୍ୟ କରିବାକୁ କନଷ୍ଟେବଳ ପଦମାରାମ ଏକ ବନ୍ଦ ଦୋକାନ ସାମ୍ନାରେ ନିଜ ବରିଷ୍ଠ ସାଥୀଙ୍କ କେଶ କାଟୁଥିବା ଦେଖାଯାଇଛି। ତେବେ କଟା କେଶ ପଡି ଅଳିଆ ନ ହେବ ବୋଲି ସେ କପଡା ପରିବର୍ତ୍ତେ ପ୍ରମୋଦଙ୍କୁ ଖବରକାଗଜ ପିନ୍ଧାଇ ଦେଇଥିବା ଦେଖାଯାଇଛି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share