Categories: ବାଣିଜ୍ୟ

ଲକ୍‌ଡାଉନ ବିରୋଧୀ ଲଢେଇ; କମ୍ପାନୀ କର୍ମଚାରୀଙ୍କ ୩ ମାସର ବେତନ ଦେବ ଡେନ୍‌ମାର୍କ

ନୂଆଦିଲ୍ଲୀ,୩୦। ୩: କରୋନା ଯୋଗୁ ବର୍ତ୍ତମାନ ସାରା ବିଶ୍ୱରେ ଲକ୍‌ଡାଉନ ପାଇଁ ଆର୍ଥତ୍କ କାର୍ଯ୍ୟକଳାପ ହ୍ରାସ ହୋଇଛି। ଏଭଳି ସମୟରେ କମ୍ପାନୀଗୁଡିକ ଚାପରେ ରହିବା ଫଳରେ ଛଟେଇ ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି। ବିଭିନ୍ନ ଦେଶ ପ୍ୟାକେଜ ଘୋଷଣା ଦ୍ୱାରା ସ୍ଥିତିକୁ ନିୟନ୍ତ୍ରଣ କରୁଥିବା ଦେଖାଯାଉଛି। ଡେନ୍‌ମାର୍କ ଏ ଦିଗରେ ଏକ ମଧ୍ୟ ଏକ ଉଲ୍ଲେଖନୀୟ ପଦକ୍ଷେପ ଉଠାଇବାକୁ ଯାଉଛି। ସେଠାକାର ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ବିଚାରଧାରାଠାରୁ ଉର୍ଦ୍ଧ୍ୱକୁ ଯାଇ ଶ୍ରମ ସଙ୍ଗଠନ ଏବଂ କର୍ମଚାରୀ ସଂଘଗୁଡିକ ସହ ମିଳିତ ହୋଇ ଲକ୍‌ଡାଉନ ସମୟରେ ଉପୁଜିଥିବା ନିଯୁକ୍ତି ସଙ୍କଟ ବିରୋଧରେ ଲଢେଇ ଜାରି ରଖିବା ଲାଗି କାମ କରୁଛନ୍ତି। ଯୋଜନା କାର୍ଯ୍ୟକାରୀ ହେଲେ କମ୍ପାନୀଗୁଡିକ ପ୍ରଦାନ କରୁଥିବା ଆଗାମୀ ୩ ମାସ ବେତନର ପ୍ରାୟ ୯୦% ସରକାର ପ୍ରଦାନ କରିବେ। ଫଳରେ କମ୍ପାନୀଗୁଡିକ ଉପରେ ଚାପ କମିବ ଏବଂ ସେମାନେ ଛଟେଇ ଯୋଜନାରୁ ନିବୃତ୍ତ ରହିବେ। ଏହାବାଦ ଡେନମାର୍କର ସରକାର କମ୍ପାନୀଗୁଡିକର ଭଡା ବାବଦ ଖର୍ଚ୍ଚ ମଧ୍ୟ ସରକାର ଉଠାଇବେ ବୋଲି ସୂଚନା ରହିଛି। ଏଭଳି ଭାବେ ୨ଟି ଯୋଜନା ବାବଦକୁ ସେଠାକାର ସରକାର ୪୨.୬ ବିଲିୟନ ଡେନିସ କ୍ରୋନର ବା ୬.୨୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯୋଜନା ଧାର୍ଯ୍ୟ ହୋଇଛି। ଏହି ଧାରାରେ ନେଦରଲାଣ୍ଡ ସରକାର ଯୋଡି ହୋଇଛନ୍ତି। ଯେଉଁ କମ୍ପାନୀଗୁଡିକ ଅନ୍ତତଃ ପକ୍ଷେ ୨୦% ରାଜସ୍ବ କ୍ଷତି ଦେଖାଇବେ ସେମାନଙ୍କ ଲାଗି କର୍ମଚାରୀଙ୍କ ବେତନରେ ସରକାର ୯୦% ଅର୍ଥ ବହନ କରିବା ନେଇ ବ୍ୟବସ୍ଥା କରାଯାଇଛି। ଏହାବାଦ ଇଂଲଣ୍ଡ ସରକାର ୮୦% ବେତନ ଅର୍ଥ ଉଠାଇବାକୁ କହିଛନ୍ତି। ଏହା ସହ ଅନ୍ୟ ସ୍ବତନ୍ତ୍ର ପଦକ୍ଷେପ ଦେଶଗୁଡିକ ହାତକୁ ନେଉଥିବା ଦେଖାଯାଇଛି। ଏଭଳି ପଦକ୍ଷେପ ସାମୂହିକ ଛଟେଇକୁ ରୋକିବା ଦିଗରେ ସହାୟକ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି। ଆଗାମୀ କିଛି ଦିନରେ ସ୍ଥିତି ସୁଧୁରିଲେ କମ୍ପାନୀଗୁଡିକ ପୁଣି ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବା ସହ ବିକାଶ ପ୍ରକ୍ରିୟାରେ ସାମିଲ ହୋଇପାରିବେ ବୋଲି ବିଶେଷଜ୍ଞ କହିଛନ୍ତି।

Share