ଲକ୍‌ଡାଉନ: ମେ’ ୩ ପଛରେ କ’ଣ ରହିଛି ଗଣିତ

ନୂଆଦିଲ୍ଲୀ,୧୪।୪: ସାରା ବିଶ୍ୱର ମୁଣ୍ଡ ବିଗାଡିଛି କରୋନା ଭାଇରସ। ସାରା ବିଶ୍ୱରେ ଦିନକୁ ଏହା ହଜାର ହଜାର ସଂଖ୍ୟାରେ ମୁଣ୍ଡ ନେଉଥିବା ବେଳେ ହଜାର ହଜାର ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି। ଭାରତରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାକୁ ରୋକିବାକୁ ଲକ୍‌ଡାଉନ ଭଲ ପଦକ୍ଷେପ ବୋଲି ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍‌ଡାଉନ ୨.୦ର ଘୋଷଣା କରିଛନ୍ତି। ୨୧ ଦିନ ପରେ ପୁଣିଥରେ ମେ’୩ ଅର୍ଥାତ୍‌ ୧୯ ଦିନ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି। ଏବେ ପ୍ରଶ୍ନ ଉଠୁଛି କିଛି ରାଜ୍ୟ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରିଥିବା ବେଳେ ମୋଦି ଏହାକୁ ମେ’ ୩ ପର୍ଯ୍ୟନ୍ତ କାହିଁକି ବୃଦ୍ଧି କରିଛନ୍ତି। କ’ଣ ରହିଛି ଏହା ପଛର ଗଣିତ। ନା ଏହା ମାସର ଶେଷ ଦିନ, ନା ୨ ସପ୍ତାହ, ନା ୩ ସପ୍ତାହ। ହୁଏତ ମେ’ ୫ ପର୍ଯ୍ୟନ୍ତ ଏହାକୁ ବଢାଯାଇ ପାରି ଥାଆନ୍ତା। ହେଲେ ଆଲୋଚନା ହେଉଛି କି ମେ’୧ ଶ୍ରମିକ ଦିବସ ଥିବାରୁ ଏହା ଛୁଟି ଦିବସ ଭାବେ ଘୋଷଣା କରାଯାଇଛି। ସେହିପରି ମେ’୨ ଶନିବାର ଓ ମେ’୩ ରବିବାର ହୋଇଥିବାରୁ ଏହା ସପ୍ତାହିକ ଛୁଟି ଦିବସ। ତେଣୁ ଏହାକୁ ଦୃଷ୍ଟିରେ ରଖି ମେ’ ୩ କୁ ଲକ୍‌ଡାଉନର ଅବଧିକୁ ବୃଦ୍ଧି କରାଯାଇଛି। ଆହୁରି ମଧ୍ୟ କୁହାଯାଉଛି କି କରୋନାର ଲକ୍ଷଣ ଜଣାପଡିବାକୁ ୭-୧୪ ଦିନ ସମୟ ଲାଗୁଥିବା ବେଳେ ଏଥିରେ ଆଉ ୩ ଦିନ ଯୋଡି ହୋଇଯିବା ଗୁରୁତ୍ୱ ବହନ କରେ।

Share