‘ଲକ୍‌ଡାଉନ ଯଥେଷ୍ଟ ନୁହେଁ’

ନୂଆଦିଲ୍ଲୀ/ଲଣ୍ଡନ,୨୩ା୩: କରୋନା ମୁକାବିଲା ଲାଗି ଲକ୍‌ଡାଉନକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବିରୋଧ କରିଛି। ଏକସଙ୍ଗେ ଯଥେଷ୍ଟ ଜନସ୍ବାସ୍ଥ୍ୟଜନିତ ପଦକ୍ଷେପ ନିଆ ନ ଗଲେ ଏହି ଭୂତାଣୁ ପରେ ପୁଣି ସକ୍ରିୟ ହୋଇପାରେ ବୋଲି ଡବ୍ଲ୍ୟୁଏଚ୍‌ଓ କହିଛି। ଏହି ସଂସ୍ଥାର ଜରୁରୀ ବିଭାଗ ମୁଖ୍ୟ ବିଶେଷଜ୍ଞ ମାଇକ୍‌ ର଼୍ୟାନ୍‌ କହିଛନ୍ତି, କରୋନା ସଂକ୍ରମଣ ରୋକିବା ଲାଗି ଦେଶଗୁଡ଼ିକ କେବଳ ଲକ୍‌ଡାଉନ କରିପାରିବେ ନାହିଁ। ଜନସ୍ବାସ୍ଥ୍ୟ ପଦକ୍ଷେପ ଜରୁରୀ। ତାଙ୍କ କହିବା ଅନୁଯାୟୀ, ପ୍ରଥମେ କେଉଁମାନେ ଅସୁସ୍ଥ ଅଛନ୍ତି, ସେମାନଙ୍କୁ ଖୋଜି ବାହାର କରିବା ସହ ଆଇସୋଲେଶନରେ ରଖିବାକୁ ହେବ। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ମଧ୍ୟ ଅଲଗା ରଖିବାକୁ ପଡ଼ିବ। ଏସବୁ ବ୍ୟବସ୍ଥା ନ କରି ଲକ୍‌ଡାଉନ କଲେ ବିପଜ୍ଜନକ ହୋଇପାରେ। କାରଣ ଯେତେବେଳେ ଲକ୍‌ଡାଉନ ଓ କଟକଣା ଉଠିଯିବ, ସେତେବେଳେ ରୋଗ ଅଧିକ ଭୟାବହ ହେବ ବୋଲି ର଼୍ୟାନ୍‌ କହିଛନ୍ତି। କରୋନା ସମ୍ପର୍କରେ ବିଶ୍ୱକୁ ସଚେତନ କରାଇବାରେ ବିଳମ୍ବ ଲାଗି ଡବ୍ଲ୍ୟୁଏଚ୍‌ଓ ସମାଲୋଚିତ ହୋଇଛି। ଡିସେମ୍ବର ୩୧ରେ ତାଇଓ୍ବାନର ସ୍ବାସ୍ଥ୍ୟ ଅଧିକାରୀମାନେ ଡବ୍ଲ୍ୟୁଏଚ୍‌ଓ ଏବଂ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ନିୟନ୍ତ୍ରକକୁ ଚାଇନାର ଉହାନ ସହରରେ ଏହି ଭୂତାଣୁ ସଂକ୍ରମିତ ହେଉଥିବା ସମ୍ପର୍କରେ ଜଣାଇଥିଲେ। ତେବେ ଚାଇନାର ଚାପ ଯୋଗୁ ସେତେବେଳେ ଡବ୍ଲ୍ୟୁଏଚ୍‌ଓ ନୀରବ ରହି ଜାନୁୟାରୀ ୨୦ରେ ସ୍ପଷ୍ଟ କରିଥିଲା। ଫଳରେ କରୋନା ଅଧିକରୁ ଅଧିକ ଦେଶକୁ କାୟା ବିସ୍ତାର କରିଥିଲା।

Share