ନୂଆଦିଲ୍ଲୀ,୧୨।୪(ଆଇଏଏନ୍ଏସ୍): ଲକ୍ଡାଉନ ଓ ଅନ୍ୟାନ୍ୟ ପ୍ରତିକାରମୂଳକ ପଦକ୍ଷେପ ଯୋଗୁ ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ କମ୍ ରହିଛି। ତାହା ହୋଇ ନ ଥିଲେ ଏପ୍ରିଲ ୧୫ ସୁଦ୍ଧା ଦେଶରେ ସଂକ୍ରମଣ ସଂଖ୍ୟା ୮.୨ ଲକ୍ଷରେ ପହଞ୍ଚିଥାଆନ୍ତା ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଲକ୍ଡାଉନ ନ ହୋଇ କେବଳ ପ୍ରତିକାରମୂଳକ ପଦକ୍ଷେପ ନେଇଥିଲେ ଏହି ସଂଖ୍ୟା ୧.୨ ଲକ୍ଷ ହୋଇଥାନ୍ତା ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍ ଅଗ୍ରଓ୍ବାଲ କହିଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୦୩୫ ନୂଆ ମାମଲା ଓ ୪୦ ଜଣଙ୍କ ମୃତ୍ୟୁ ସହ ମୋଟ ସଂକ୍ରମଣ ସଂଖ୍ୟା ୭୪୪୭ ଏବଂ ମୃତ୍ୟୁସଂଖ୍ୟା ୨୩୯ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୬୪୨ ଜଣ ସୁସ୍ଥ ହେଲେଣି। ଦେଶରେ କରୋନା ରୋଗୀଙ୍କ ଲାଗି ୧ ଲକ୍ଷ ଆଇସୋଲେଶନ ବେଡ୍ ଏବଂ ୧୧,୫୦୦ ଆଇସିୟୁ ବେଡ୍ ସଂରକ୍ଷିତ ରହିଛି। କେନ୍ଦ୍ର ଓ ରାଜ୍ୟ ସ୍ତରରେ ୫୮୭ଟି କୋଭିଡ୍-୧୯ ହସ୍ପିଟାଲ କାର୍ଯ୍ୟ କରୁଛନ୍ତି। ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧,୭୧,୭୧୮ ନମୁନା ପରୀକ୍ଷା କରାଯାଇଛି। ଉଭୟ ସରକାରୀ ଓ ବେସରକାରୀ ଲାବ୍ରେ ଶୁକ୍ରବାର ୧୬,୫୬୪ଟି ନମୁନା ପରୀକ୍ଷା କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।