ଲକ୍‌ଡାଉନ ୩.୦: ଖୁବ୍‌ଶୀଘ୍ର ଆରମ୍ଭ ହେବ ସର୍ବସାଧାରଣ ପରିବହନ; ନୀତୀନ

ନୂଆଦିଲ୍ଲୀ,୬।୫: କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ମାର୍ଚ୍ଚ ୧୭ଯାଏଁ ଏହି ଲକ୍‌ଡାଉନର ଅବଧିକୁ ବୃଦ୍ଧି କରାଯାଇଛି। ତୃତୀୟ ପର୍ଯ୍ୟାୟ ଲକ୍‌ଡାନରେ କେତେକ କଟକଣାକୁ କୋହଳ କରାଯାଇଛି। ଏହିକ୍ରମରେ ଯାତାୟାତ ପାଇଁ ଖୁବ୍‌ଶୀଘ୍ର ସର୍ବସାଧାରଣ ପରିବହନକୁ ଆରମ୍ଭ କରାଯିବ ବୋଲି ଜଣାପଡ଼ିଛି। ବୁଧବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡକରି ଏନେଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଭିଡିଓ କନ୍‌ଫରେନ୍ସିଂରେ ବସ୍‌ ଓ କାର୍‌ ଅପରେଟର୍ସ କନ୍‌ଫେଡେରେସନ ଅଫ୍‌ ଇଣ୍ଡିଆର ସଦସ୍ୟମାନଙ୍କ ସହ ନୀତୀନ ଏନେଇ ଆଲୋଚନା କରିଥିଲେ। ସାମାଜିକ ଦ୍ୱରତ୍ୱ ନିୟମ ପାଳନ କରି ଖୁବ୍‌ଶୀଘ୍ର ସର୍ବସାଧାରଣ ପରିବହନ କାର୍ଯ୍ୟକ୍ଷମ ହେବ। ଏଥିପାଇଁ କିଛି ନୂଆ ଗାଇଡଲାଇନ୍‌ ତିଆରି କରାଯାଇଛି ବୋଲି ନୀତୀନ କହିଛନ୍ତି। ନୂଆ ଗାଇଡଲାଇନ୍‌ ଅନୁସାରେ ବସ୍‌ ଓ କାର୍‌ ଚଳାଚଳ ସମୟରେ ସାମାଜିକ ଦୂରତ୍ୱ ରକ୍ଷା, ହାତ ଧୋଇବା, ସାନିଟାଇଜର ଓ ମାସ୍କ ଇତ୍ୟାଦି ସମସ୍ତ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଜରୁରୀ। ସୂଚନା ମୁତାବକ ମାର୍ଚ୍ଚ ୨୪ରେ ପ୍ରଥମ ଲକ୍‌ଡାଉନ ଘୋଷଣା ହେବା ପରଠାରୁ ସର୍ବସାଧାରଣ ପରିବହନ ବନ୍ଦ ହୋଇ ରହିଛି।

Share