ଲକ୍‌ଡାଉନ ୩.୦: ମଦ କିଣିବା ପାଇଁ ଲାଇନ୍‌ ଲଗାଇଲେ ହେଲମେଟ୍‌, ବୋତଲ

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ତୃତୀୟ ପର୍ଯ୍ୟାୟର ଏହି ଲକ୍‌ଡାଉନରେ ସରକାର କେତେକ କଟକଣାକୁ କୋହଳ କରିଛନ୍ତି। ସେଥିମଧ୍ୟରୁ ମଦ ଦୋକାନ ଖୋଲିବା ଅନ୍ୟତମ। ଏହି କଟକଣା କୋହଳ ପରେ ପ୍ରଥମ ଦିନରେ ମଦ ଦୋକାନ ସମ୍ମୁଖରେ ଅସଂଖ୍ୟ ଲୋକଙ୍କ ଭିଡ଼ ଜମିଥିଲା। ଆଉ ଏହି ସମୟରେ ଲୋକମାନେ ସାମାଜିକ ଦୂରତ୍ୱକୁ ଏକପ୍ରକାର ମଜାକ ବନେଇ ଦେଇଥିବା ଦେଖିବାକୁ ମିଳିଥିଲା। ତେବେ ସାମାଜିକ ଦୂରତ୍ୱକୁ ରକ୍ଷା କରିବା ପାଇଁ ଦିଲ୍ଲୀରେ ଏକ ନିଆରା ଦୃଶ୍ୟ ନଜର ଆସିଛି।

ମଦ କିଣିବା ପାଇଁ ଲୋକମାନେ ନିଜେ ଛିଡା ନ ହୋଇ ଦୋକାନ ସମ୍ମୁଖରେ ଟଣାଯାଇଥିବା ବୃତ୍ତ ଭିତରେ ସେମାନଙ୍କ ସାମଗ୍ରୀକୁ ରଖୁଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଲୋକମାନେ ମଦ ଦୋକାନ ସମ୍ମୁଖରେ ହେଲମେଟ୍‌, ବୋତଲ, ଜୋତା ଓ ଅନ୍ୟ ସାମଗ୍ରୀକୁ ଲାଇନ୍‌ରେ ଲଗାଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଅପରପକ୍ଷେ ମଦ ବିକ୍ରି ପାଇଁ ଦିଲ୍ଲୀ ସରକାର ଏବେ ଇ-ଟୋକନର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

ମଦ ଦୋକାନରେ ଲାଗୁଥିବା ଭିଡ଼ ଏବଂ ସୁରକ୍ଷା ଦୃଷ୍ଟିରୁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। ଯାହାଦ୍ୱାରା ଦୋକାନରେ ନିୟମ ଅନୁସାରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଇପାରିବ। ଏଥିପାଇଁ ସରକାର ଏକ ଓ୍ବେବ ଲିଙ୍କ୍‌ ଜାରି କରିଛନ୍ତି। ଏହି ଲିଙ୍କ୍‌କୁ କ୍ଲିକ୍‌ କରି ଲୋକମାନେ ନିଜର ସମସ୍ତ ତଥ୍ୟ ଦେଇ ମଦ କିଣିବାର ସମୟ ଧାର୍ଯ୍ୟ କରିବେ। ଏହାପରେ ସେମାନଙ୍କୁ ମୋବାଇଲ୍‌ରେ ଏକ ଇ-କୁପନ ପଠାଇଦିଆଯିବା ନେଇ ସୂଚନା ରହିଛି।

Share