Categories: ଜାତୀୟ

ଲକ୍‌ଡାଉନ: ୮ ଦିନରେ ସଡ଼କ ଦୁର୍ଘଟଣାରେ ଗଲାଣି ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କ ଜୀବନ

ନୂଆଦିଲ୍ଲୀ,୧୬।୫: ଲକ୍‌ଡାଉନ ସମୟରେ ନିଜ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଥିବା ଦେଖିବାକୁ ମିଳିଛି। ଘରକୁ ଫେରୁଥିବା ଏହି ଶ୍ରମିକମାନେ କେତେବେଳେ ପାଦରେ ଚାଲି ଚାଲି ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହେଉଛନ୍ତି ତ ପୁଣି କେତେବେଳେ ସେମାନଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଚାଲିଯାଉଛି ଏମାନଙ୍କ ଜୀବନ। ଲକ୍‌ଡାଉନ ସମୟରେ ରାସ୍ତାରେ ଏତେଟା ଗାଡି ମଟର ଚଳାଚଳ ନ ଥାଇ ମଧ୍ୟ ଏମାନେ ଦୁର୍ଘଟଣାର ଶିକାର ହେବା ସମସ୍ତଙ୍କୁ ବ୍ୟଥିତ କରିଛି। ଗତ ୮ ଦିନ ମଧ୍ୟରେ ୭୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ହେଲାଣି। ଶନିବାର ଉତ୍ତର ପ୍ରଦେଶରେ ଟ୍ରକ୍‌ରେ ଆସୁଥିବା ଶ୍ରମିକମାନେ ଦୁର୍ଘଟଣାର ଶିକାର ହେବା ଫଳରେ ୨୪ ଜଣଙ୍କ ଜୀବନ ଯାଇଛି। ସେହିପରି ମଧ୍ୟପ୍ରଦେଶର ସାଗର ଜିଲାରେ ମଧ୍ୟ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଶୁକ୍ରବାର ମଧ୍ୟପ୍ରଦେଶ ଏବି ରୋଡ ବାଇପାସ ନିକଟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଗାଡି ଦୁର୍ଘଟଣାର ଶିକାର ହେବା ପରେ ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁବାର ମଧ୍ୟପ୍ରଦେଶ ଗୁନାରେ ୮ ଜଣ ଶ୍ରମିକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଏହାପୂର୍ବରୁ ଅର୍ଥାତ୍‌ ବୁଧବାର ଉତ୍ତପ୍ରଦେଶର ମୁଜାଫରପୁରରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ବସ୍‌ ଚଢିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିଲା। ସେହିପରି ଗତ ଗୁରୁବାର ବିହାରର ସମସ୍ତିପୁରରେ ଏକ ସଡ଼କ ଦୁର୍ଘଟଣାରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ତେଲେଙ୍ଗାନାର ରଙ୍ଗାରେଡି ଜିଲାରେ ମେ’ ୧୨ରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୪ ଶ୍ରମିକଙ୍କ ମୃତ୍ୟୁ ଖବର ଶୁଣିବାକୁ ମିଳିଥିଲା। ମେ’ ୯ ତାରିଖ ମଧ୍ୟ ଥିଲା ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଏକ ଦୁଃଖଦଦିନ। ଏହିଦିନ ମଧ୍ୟପ୍ରଦେଶ ନରସିଂପୁର ଜିଲାରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୫ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ସବୁଠାରୁ ଦୁଃଖଦ ଥିଲା ଔରଙ୍ଗାବାଦର ରେଳ ଦୁର୍ଘଟଣା। ମେ’ ୮ ତାରିଖରେ କିଛିବାଟ ଚାଲି ଚାଲି ହାଲିଆ ହୋଇ ପଡିବା ପରେ ରେଳ ଧାରଣା ଉପରେ ଶୋଇ ପଡିଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ମାଲଗାଡି ମାଡିଯିବା ଫଳରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଥିଲା।

Share