ଲକ୍‌ ଡାଉନକୁ ନେଇ ଦିନ ମଜୁରିଆ ଓ ବ୍ରାହ୍ମଣ ଚିନ୍ତାରେ

ମନମୁଣ୍ଡା,୨୫।୩ (ଡି.ଏନ.ଏ): କରୋନାକୁ ନେଇ ଲକ୍‌ ଡାଉନ ବୋଝ ଉପରେ ନଳିତା ବିଡା ସଦୃଶ ଦେଖାଦେଇଛି । ବିଶେଷ କରି ଦିନ ମଜୁରିଆ, ଶ୍ରମିକ, ମନ୍ଦିର ପୂଜକ ଓ କର୍ମକାଣ୍ଡ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ନାହିଁ ନ ଥିବା ଅସୁବିଧା ଦେଖାଦେଇଛି। ସେମାନେ ପରିବାର କିପରି ଚଳାଇବେ ସେ ନେଇ ଚିନ୍ତିତ ହୋଇପଡିଛନ୍ତି । ଏପରି ପରିସ୍ଥିତି ବୌଦ୍ଧ ଜିଲାର ଅନ୍ୟ ଅଞ୍ଚଳ ସହ ମନମୁଣ୍ଡାରେ ଦେଖିବାକୁ ମିଳିଛି । ଅଧିକାଂଶ ଦିନ ମଜୁରିଆ, ଶ୍ରମିକମାନଙ୍କ ପାଖରେ ବ୍ୟାଙ୍କ ବାଲାନ୍ସ ନାହିଁ । ସେମାନେ ଯେଉଁ ଦିନ ଯାହା ରୋଜଗାର କରନ୍ତି ,ସେହିଦିନ ଖର୍ଚ୍ଚ କରିଦିଅନ୍ତି । କାମ କଲେ ଖାଆନ୍ତି ନ ହେଲେ ଭୋକରେ ରହିବା ଏକରକମ ନିଶ୍ଚିତ । ସେମାନେ ଏବେ ହାତବାନ୍ଧି ଘରେ ବସିଥିବାରୁ ଆଗାମୀ ଦିନରେ ଅନାହାର ମୃତ୍ୟୁ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ସେହିପରି କରୋନାକୁ ନେଇ ସରକାର ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବାରଣ କରିଥିବାରୁ ମନ୍ଦିରଗୁଡିକ ଖାଁ ଖାଁ ଲାଗୁଛି । ପୂଜକ କେବଳ ଠାକୁରଙ୍କ ନୀତିକାନ୍ତି କରି ଫେରି ଆସୁଥିବାର ଦେଖିବାକୁ ମିଳୁଛି । ମନମୁଣ୍ଡା ଅଞ୍ଚଳର ପୁରାତନ ଦଧିବାମନଜୀଉ ମନ୍ଦିର, ସୁବର୍ଣ୍ଣମେରୁ ମନ୍ଦିର ଓ ଦୁର୍ଗାଦେବୀ ମନ୍ଦିରରେ ପ୍ରତ୍ୟେକ ଦିନ ଶତାଧିକ ଭକ୍ତଙ୍କ ସମାବେଶ ହୋଇଥାଏ । ଭକ୍ତଙ୍କ ଦକ୍ଷିଣାକୁ ନେଇ ପୂଜକ ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ଭକ୍ତ ଆସୁ ନ ଥିବାରୁ ସେମାନଙ୍କ ସମସ୍ୟା ବଢିଯାଇଛି । ଦଧିବାମନ ଜୀଉ ମନ୍ଦିର ପୂଜକ ଗୋପୀନାଥ ହୋତା, ସୁବର୍ଣ୍ଣମେରୁ ମନ୍ଦିର ପୂଜକ ନରସିଂହ ଥନାପତି, ବିଶ୍ୱନାଥ ଥନାପତି, ଦୁର୍ଗାଦେବୀ ମନ୍ଦିର ପୂଜକ କୁନା ମିଶ୍ର ପ୍ରମୁଖ ପରିବାର କେମିତି ଚଳାଇବେ ତାହାକୁ ନେଇ ଚିନ୍ତାରେ ପଡି ଯାଇଥିବା ପ୍ରକାଶ କରିଛନ୍ତି । ଆହୁରି ମଧ୍ୟ ଲୋକଙ୍କ ଘରଙ୍କୁ ଯାଇ କର୍ମକାଣ୍ଡ ଓ ବିଭିନ୍ନ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣଙ୍କ ଅବସ୍ଥା ଅଧିକ ଶୋଚନୀୟ ହୋଇପଡିଛି। ଜଜମାନମାନେ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ବନ୍ଦ କରି ଦେଇଥିବାରୁ ବ୍ରାହ୍ମଣମାନଙ୍କ ଆୟ ଠପ୍‌ ହୋଇଯାଇଛି । ଏଭଳି ପରିସ୍ଥିତିରେ ଦିନ ମଜୁରିଆମାନଙ୍କ ସହ ପୂଜକ ଓ ପୂଜାର୍ଚ୍ଚନା କରୁଥିବା ବ୍ରାହ୍ମଣମାନଙ୍କ ପାଇଁ ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରି ସାହାଯ୍ୟ କରିବାକୁ ମନମୁଣ୍ଡା ବ୍ରାହ୍ମଣ ସମାଜ ସଭାପତି ସତ୍ୟନାରାୟଣ ପାଣିଗ୍ରାହୀ, ସମ୍ପାଦକ ବୈଦ୍ୟନାଥ ହୋତା ନିବେଦନ କରିଛନ୍ତି ।