ଲକ୍‌ ଡାଉନ୍‌ର ପ୍ରଭାବ: ପାଳନ ହେଲାନି ବିଶ୍ୱ ନାଟ୍ୟ ଦିବସ

ବ୍ରହ୍ମପୁର ଅଫିସ,୨୭ା୩-ସମାଜରେ ସଂସ୍କାର ଅଣିବାରେ ସର୍ବଦା ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ମଞ୍ଚନାଟକକୁ ପୁର୍ନଜୀବିତ କରିବା ନେଇ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଇଆସୁଛନ୍ତି ମଞ୍ଚନାଟକ କଳାକାର ତଥା ଅଭିନେତା। ଚଳିତ ବର୍ଷ କରୋନାକୁ ନେଇ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଥିବାରୁ ଏହା ବାତିଲ ହୋଇଯାଇଛି। ଚଳିତବର୍ଷ କଳାକାରମାନେ ଘରେ ରହି ସୋସିଆଲ ମିଡିଆ ମାଧ୍ୟମରେ ନିଜର ବାର୍ତ୍ତା ଓ ନାଟ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଛନ୍ତି।
ଗଞ୍ଜାମ ଜିଲା ମଞ୍ଚ କଳାକାର ସମ୍ମିଳନୀ ପକ୍ଷରୁ ପ୍ରକାଶମ୍‌ ହଲ ପରିସରରେ ନାଟ୍ୟ ପ୍ରତିଯୋଗୀତା ତଥା ମହୋତ୍ସବ ଆୟୋଜନ ନେଇ ଯୋଜନା ରହିଥିଲା। ସେହିପରି ମଞ୍ଚଜ୍ୟୋତି ପକ୍ଷରୁ ଜାତୀୟ ସଂଙ୍ଗୀତ କଳାକେନ୍ଦ୍ରଠାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ଆଲୋଚନା ଚକ୍ର ଆୟୋଜନର ଯୋଜନା ରହିଥିଲା। କିନ୍ତୁ କରୋନା ସଂକ୍ରମଣ ନେଇ ସରକାରଙ୍କ ଲକ୍‌ ଡାଉନ୍‌ ଘୋଷଣା ପରେ ସମସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ବିଶ୍ୱ ନାଟ୍ୟ ଦିବସରେ ସମସ୍ତ ରଙ୍ଗମଞ୍ଚରେ ଏବେ ତାଲା ଝୁଲୁଛି। କଳାକାରଙ୍କ ନାଟ୍ୟ ଦିବସ ବାର୍ତ୍ତା ଏବେ କେବଳ ସୋସିଆଲ ମିଡିଆରେ ସୀମିତ ରହିଯାଇଛି।