ଲକ୍‌ ଡାଉନ୍‌: ୧୦୦ କିଲୋମିଟର ଚାଲିବା ପରେ ବି ଘରେ ପହଞ୍ଚି ପାରିଲେନି ବାଳିକା; ବାଟରେ ଘଟିଲା ମୃତ୍ୟୁ

ବିଜାପୁର,୨୧।୪: କରୋନା ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। କରୋନ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଭାରତରେ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ରାଜ୍ୟ ବାହାରକୁ କାମଧନ୍ଦା ଉଦ୍ଦେଶ୍ୟରେ ଯାଇଥିବା ବହୁ ଶ୍ରମିକ ଅଟକି ରହିଛନ୍ତି। ପରିବହନ ବ୍ୟବସ୍ଥା ବନ୍ଦ ରହିଥିବାରୁ ବହୁ ଶ୍ରମିକ ଚାଲିଚାଲି ଭିଟାମାଟିକୁ ଫେରୁଛନ୍ତି। ଛତିଶଗଡ଼ର ବିଜାପୁର ଜିଲାର ଭାନ୍ଦରପାଲ ଗାଁରୁ ୧୨ ବର୍ଷ ବୟସ୍କା ବାଳିକା ଜମାଲୋ ମଡ଼କାମ ତେଲେଙ୍ଗାନାର ପେରୁରୁ ଗାଁରେ ଲଙ୍କା ଚାଷ ହେଉଥିବା ଜମିରେ କାମ କରିବାକୁ କିଛି ଶ୍ରମିକଙ୍କ ସହିତ ଯାଇଥିଲେ। ଲକ୍‌ ଡାଉନ୍‌ ଯୋଗୁ ଚାଷ ଜମିରେ କାମ ବନ୍ଦ ହୋଇଯାଇଥିଲା। ଜମାଲୋ ତାଙ୍କ ସହିତ କାମ କରିବାକୁ ଯାଇଥିବା ଅନ୍ୟ ୧୩ ଜଣଙ୍କ ସହିତ ଗାଁକୁ ଚାଲି ଚାଲି ଫେରିବା ଆରମ୍ଭ କରିଥିଲେ। ଚାଲି ଚାଲି ୧୦୦ କିଲୋମିଟର ଆସିବା ପରେ ଗାଁଠାରୁ୧୧ କିଲୋମିଟର ଦୂରରେ ଜମାଲୋଙ୍କ ମୃତ୍ୟୁ ଘଟିଥିଲା। ୩ ଦିନ ଚାଲିବା ପରେ ଜମାଲୋଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ସେ ଦୁର୍ବଳ ହୋଇ ଚେତା ହରାଇ ତଳେ ପଡ଼ିଯାଇଥିଲେ। ତାଙ୍କ ସହିତ ଥିବା ଲୋକେ ମାତା ସୁକମତି ଏବଂ ପିତା ଆନ୍ଦୋରାମଙ୍କ ପାଖକୁ ଫୋନ୍‌ କରିଥିଲେ। ଏହି ଦୁଃଖଦ ଘଟଣା ଜଣାପଡ଼ିବା ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବାଘେଲ ଜମାଲୋଙ୍କ ପରିବାରକୁ ଏକ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ଜମାଲୋ ତାଙ୍କ ମାତାପିତାଙ୍କ ଏକ ମାତ୍ର ସନ୍ତାନ ଥିଲେ।

Share