ଲକ୍‌ ଡାଉନ୍‌: ରମଜାନ ନମାଜ ଉପରୁ ହଟିଲା କଟକଣା

ଇସଲାମାବାଦ୍‌,୨୦।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପ୍ରିଲ୍‌ ୨୪ଠାରୁ ରମଜାନ ମାସ ଆରମ୍ଭ ହେଉଥିବାରୁ ଏହି ସମୟରେ ମସଜିଦ୍‌ରେ ସାମୁହିକ ନମାଜ ପାଠକୁ ସୌଦି ସମେତ ବହୁ ମୁସଲମାନ ବହୁଳ ଦେଶରେ ବନ୍ଦ କରାଯାଇଛି। ପାକିସ୍ତାନ ସରକାର ମଧ୍ୟ ଏଭଳି କରିବା ଲାଗି ନିଷ୍ପତ୍ତିି ନେଇଥିଲେ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଏଭଳି ନିଷ୍ପତ୍ତିକୁ ପାକିସ୍ତାନର ଧର୍ମଗୁରୁମାନେ ବିରୋଧ କରିଥିଲେ। ଶେଷରେ ଇମ୍ରାନ ସରକାରଙ୍କୁ ମୁଣ୍ଡ ନଇଁବାକୁ ପଡ଼ିଛି। ରମଜାନରେ ମସଜିଦ୍‌ରେ ସାମୁହିକ ନମାଜ ପାଠ ଲାଗି ବାଧ୍ୟ ହୋଇ ଇମ୍ରାନ୍‌ ଅନୁମତି ଦେଇଛନ୍ତି। ଲକ୍‌ ଡାଉନ୍‌ ସମୟରେ ସ୍କୁଲ୍‌ ,କଲେଜ, ଦୋକାନ, ବଜାର ବନ୍ଦ ଥିଲେ ମଧ୍ୟ ପାକିସ୍ତାନରେ ମସଜିଦ୍‌ରେ ସାମୁହିକ ନମାଜ ପାଠ କରାଯିବ ବୋଲି ଜଣାପଡ଼ିଛି। ଏନେଇ ରାଷ୍ଟ୍ରପତି ଆରଫି ଅଲ୍‌ବି ଦେଶର ବିଭିନ୍ନ ପ୍ରଦେଶର ଧର୍ମଗୁରୁ ଏବଂ ରାଜନେତାଙ୍କ ସହିତ ଏକ ମିଳିତ ବୈଠକ କରିଥିଲେ। ଏହାପରେ ମସଜିଦ୍‌ରେ ସାମୁହିକ ନମାଜ ପାଠ କରାଯିବାକୁ ଘୋଷଣା କରାଯାଇଥିଲା।

Share