ଲକ୍ ଡାଉନକୁ ବେଖାତିର, ପରମ୍ପରା ଆଳରେ ବନ୍ୟଜନ୍ତୁ ଶିକାର

ବୈପାରିଗୁଡ଼ା,୫।୪(ଡି଼.ଏନ୍.ଏ.): କରୋନାକୁ ନେଇ ଚାରିଆଡ଼େ ଆତଙ୍କିତ ପରିସ୍ଥିତି। ସବୁଠି ଲକ୍ ଡାଉନ୍। ବାହାରକୁ ନ ଆସିବାକୁ ପୋଲିସ ଡାକବାଜି ଯନ୍ତ୍ରରେ ପ୍ରଚାର କରୁଛି। ଗୋଷ୍ଠୀଗତ ଭାବେ ଗୋଟିଏ ସ୍ଥାନରେ ରୁଣ୍ଡ ନ ହେବାକୁ ନିୟମ କରାଯାଇଛି। ନିୟମ ଖିଲାପ କରୁଥିବା ଲୋକଙ୍କୁ ପୋଲିସ ଦଣ୍ଡ ଦେଉଛି। ତଥାପି ଏହାକୁ ଖାତିର ନ କରି ଚୈତ୍ର ପର୍ବ ଆଳରେ ଲୋକେ ସଙ୍ଘଵଦ୍ଧ ଭାବେ ବନ୍ୟଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି। ଗତ ଗୁରୁବାର କୋରାପୁଟ ଜିଲା ବୈପାରିଗୁଡା ବନାଞ୍ଚଳ ଅଧୀନସ୍ଥ କେନୁଗୁଡା ପଞ୍ଚାୟତ ଭାଲୁଗୁଡା ଗ୍ରାମର କେତେକ ଆଦିବାସୀ ଯୁବକ ବେଣ୍ଟ କରିଥିଲେ। ସେମାନେ ଗୋଡେଇ ଗୋଡେଇ ଠେଙ୍ଗାରେ ପିଟି ପିଟି ୫ଟି ଠେକୁଆ ଶିକାର କରି ସନ୍ଧ୍ୟାରେ ଉତ୍ସବ ମନାଇଥିଲେ। ଖବର ପାଇ ବନ ବିଭାଗ ଚଢାଉ କରାଯାଇ ୨ ଅଭିଯୁକ୍ତଙ୍କୁ ଆଣି ଅଟକ ରଖି ପରେ ଛାଡ଼ିଦେଇଥିଲା। ଏ ସମ୍ପର୍କରେ ଵନାଞ୍ଚଳ ଅଧିକାରୀ ଦିବ୍ୟା ମାଧୁରୀ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାଟି ସତ। କିନ୍ତୁ ମୃତ ଠେକୁଆଙ୍କ ଦେହାବଶେଷ ଜବତ ହୋଇପାରି ନ ଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁ ନାହିଁ।

Share