ଲକ୍ ଡାଉନ ବେଳେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛି ଏସ୍ଏଚଜି

ଗୁମ୍ମା,୪।୪: ମହାମାରୀ କରୋନା ମୁକାବିଲା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି। ଏଭଳି ପରିସ୍ଥିତିରେ ସମସ୍ତ ଦୋକାନ, ବଜାର, ହୋଟେଲ୍ ବନ୍ଦ ରହିଛି। ତେଣୁ ବୟସ୍କ, ମାନସିକ ଅସୁସ୍ଥ, ନିରାଶ୍ରୟ, ଦିବ୍ୟାଙ୍ଗ ଓ ଅସହାୟ ଲୋକଙ୍କୁ ସରକାର ଏହି ସମୟରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି। ଗଜପତି ଜିଲା ଗୁମ୍ମା ବ୍ଲକ ଅଧୀନ ଗୁମ୍ମା ପଞ୍ଚାୟତରେ ମଧ୍ୟ ଅସହାୟ ଲୋକଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ପାଇକ ସାହି ଅଙ୍ଗନୱାଡ଼ି କେନ୍ଦ୍ରରେ ମା’ ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଯୋଗାଇ ଦିଆଯାଉଛି। ବ୍ଲକ ପ୍ରଶାସନର ସହଯୋଗରେ ଏସ୍ଏଚଜି ମହିଳା ୫ ଦିନ ହେଲା ବୁଲି ବୁଲି ଖାଦ୍ୟ ଯୋଗାଉଛନ୍ତି। ପ୍ରତ୍ୟେକ ଦିନ ୧୦୦ ଲୋକଙ୍କୁ ଖାଦ୍ୟ ଦିଆଯାଉଛି। ଲକଡାଉନ ବଳବତ୍ତର ଥିବାଯାଏ ଏହା ଜାରି ରହିବ ବୋଲି ବିଡିଓ ନଟବର ଗରଡା ଓ ସିଡିପିଓ ଅନିତାରାଣୀ ପଟ୍ଟନାୟକ କହିଛନ୍ତି।