ଲଗାଣବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ୍‌ : ୧୦ରୁ ଊର୍ଦ୍ଧ୍ୱ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ମୁନିଗୁଡ଼ା,୬।୯(ଡି.ଏନ୍‌.ଏ.): ରାୟଗଡ଼ା ଜିଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମୁନିଗୁଡ଼ା ବ୍ଲକ ଇଚ୍ଛାପୁର ପଞ୍ଚାୟତର ଭାନପୁର ଗ୍ରାମ ନିକଟରେ ଥିବା ନାଳରେ ବର୍ଷାଜଳ ବୃଦ୍ଧି ପାଇ ନୂତନ ପୋଲର ଆପ୍ରୋଚ ରୋଡ୍‌ ସମ୍ପୂର୍ଣ୍ଣ ଭାବେ ଧୋଇଯାଇଛି। ପୁରୁଣା ପୋଲ ଦେଇ ଲୋକେ ଯାତାୟାତ କରୁଥିଲେ। ତେବେ ବର୍ତ୍ତମାନ ବର୍ଷାଜଳ ଅଧିକ ହେବାରୁ ପୁରୁଣା ପୋଲ ଉପରେ ଏବେ ୩ ଫୁଟ ପାଣି ଯାଉଥିବାରୁ ଉକ୍ତ ଅଞ୍ଚଳର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ ପୋଲ ଅପର ପାର୍ଶ୍ୱରେ ଥିବା କାଡ଼ାଘାଟି, ଗୁଡିଖାଲ, ବାମନଦେଓ, ସାନ ଗାଙ୍ଗିଡ଼ି, କାଶେରୀ,ବରଗୁଡା,ଡେଙ୍ଗନ ଆଦି ୧୦ରୁ ଊର୍ଦ୍ଧ୍ୱ ଗାଁର ଲୋକେ ଏବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି। କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ପୋଲର ଦୁଇପାର୍ଶ୍ୱରେ ଥିବା ମାଟି ମଧ୍ୟ ଧୋଇ ହୋଇଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହ ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି।

Share