ଲଗାଣବର୍ଷା : ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ, ଘରେ ପଶିଲା ପାଣି

ଆନନ୍ଦପୁର,୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଓ ଏହାର ଆଖପାଖରେ ଲଗାଣବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ଲୋକଙ୍କ ଘରେ ପାଣି ପଶିଯାଇଛି। ଶୁକ୍ରବାର ରାତିରୁ ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗିରହିଥିଲା। ଫଳରେ ଆନନ୍ଦପୁର କଚେରୀଠାରେ ନବ ନିର୍ମିତ ତ୍ରୁଟିପୂର୍ଣ୍ଣ ଡ୍ରେନ୍‌ରେ ବର୍ଷାପାଣି ନିଷ୍କାସିତ ହୋଇ ନ ପାରି ଟ୍ରେଜେରୀ କାର୍ଯ୍ୟାଳୟ ସହିତ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଘରେ ଆଣ୍ଠୁଏ ଉଚ୍ଚରେ ପ୍ରବେଶ କରିଥିଲା। ସେହିଭଳି ଡ୍ରେନ୍‌ରେ ପାଣି ନିଷ୍କାସିତ ହୋଇ ନ ପାରି ଶାଳପଡ଼ା ସର୍ଭିସରୋଡ୍‌ ଉପରେ ସୁଅ ଛୁଟିଥିଲା। ଅନ୍ୟପକ୍ଷରେ ଆନନ୍ଦପୁର ପୌରପରିଷଦ ପଦ୍ମପୁର ୧ନଂ. ଓ୍ବାର୍ଡରେ ବର୍ଷାପାଣି ଘରେ ପଶିଥିଲା। ଫଳରେ ଲୋକେ ନାନା ହଇରାଣ ହରକତ ହୋଇଛନ୍ତି। ଫକୀରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବର୍ଷାପାଣି ପଶିଯିବାରୁ ସେବା ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ସ୍ଥାନରେ ଆନନ୍ଦପୁର ଓ ଘସିପୁରା ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ମୋଟର ଯୋଗେ ପାଣି ନିଷ୍କାସନ କରିଛନ୍ତି। ଆନନ୍ଦପୁର ଓ ଘସିପୁରା ଅଞ୍ଚଳରେ ୨୫୫.୦୨ ମିମି ବର୍ଷା ହୋଇଛି। ବୈତରଣୀ ନଦୀର ଉପରମୁଣ୍ଡରେ ବର୍ଷାର ପ୍ରଭାବ କମ୍‌ ଥିବାରୁ ନଦୀର ଜଳସ୍ତର ହ୍ରାସ ପାଇବାରେ ଲାଗିଥିବା ସ୍ଥାନୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।