Advertisement

ଲଗାଣ ବର୍ଷାରେ କାନ୍ଥ ଭୁଶୁଡିଲା: ଜଣେ ମୃତ, ୨ ଗୁରୁତର

ଜଳେଶ୍ୱର, ୨୫।୧୦-ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ୩ ଦିନ ଧରି ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କାଳିକ ପଞ୍ଚାୟତର ଭଦୁଆ ଗ୍ରାମରେ ଗୁରୁବାର ରାତିରେ ରବିନାରାୟଣ ବାରିକ(୩୩)ଙ୍କ ଘର କାନ୍ଥ ଭୁଶୁଡି ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି। ସେ ଘରେ ସ୍ତ୍ରୀ ସୁମିତ୍ରା (୨୮) ଓ ଝିଅ ଶୁଭଲକ୍ଷ୍ମୀ (୪)ଙ୍କ ସହିତ ଶୋଇଥିବା ବେଳେ କାନ୍ଥ ପଡ଼ିଯାଇଥିଲା। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହାତୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଯାଇଥିଲେ। ସେଠାରେ ଡାକ୍ତର ରବିନାରାୟଣଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମା’ ସୁମିତ୍ରା ଓ ଝିଅ ଶୁଭଲକ୍ଷ୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ଗ୍ରାମବାସୀ ମୃତକଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି। ଜଳେଶ୍ୱର ବ୍ଲକର ନାମ୍ପୋ, ଖାଲିନା, ସିମିଳିଆ, ସୁଗୋ, ବାଣିଦା, ନେତୁଆ, ପଶ୍ଚିମବାର୍ଡ଼, କାଳିକାପୁର, ବାଇଗଣବାଡ଼ିଆ, ଦେବକୁମାର, ଆରୁହା, ସରସିଦା, ରାୟାରାମଚନ୍ଦ୍ରପୁର, ମାଳଗଡ଼ିଆ, ଶିଖରପୁର, ଗୁରୁଦାସପୁର, ମାଳିପାଳ, ଦକ୍ଷିଣ ପ୍ରହରାଜପୁର, ବେହେରାସାହି, ଖୁଦିଆମାଝିସାହି, ଓଲମରା, ମାକିଡ଼ିଆ, ହାତିଗଡ, କୁଆଡ଼ ଆଦି ଗ୍ରାମରେ ନାହିଁ ନ ଥିବା ଦୁର୍ଦ୍ଦଶାରେ ରହିଛନ୍ତି। ଜଳେଶ୍ୱର ମ୍ୟୁନିସିପାଲିଟିର ବହୁ ୱାର୍ଡ଼ରେ ରାସ୍ତା ବୁଡ଼ି ଯିବା ସହ ତଳିଆ ଅଞ୍ଚଳର ଲୋକମାନଙ୍କର ଘରେ ପାଣି ପଶି ଯାଇଥିବା ଦେଖିବାକୁ ମିଳିଛି। ପୌରାଞ୍ଚଳର ରାଜପୁର, ଶେକବାଡ଼, ପଥରପୁରା, ଶାସନବାଡ଼, ପଞ୍ଚୁଘଣ୍ଟା, ଶାନ୍ତିଆ, ଦେଉଳି ପଞ୍ଚୁଘଣ୍ଟା, ନନ୍ଦିକା, ଅଲାଲପୁର, ନହଞ୍ଜରା ପ୍ରଭୃତି ଗ୍ରାମରେ ରାସ୍ତାଘାଟ ବୁଡ଼ି ଯିବା ସହ ଲୋକମାନେ ପାଣି ଘେରରେ ରହିଥିବା ଦେଖାଯାଇଛି। ପାଣି ଘେରରେ ଥିବା ଲୋକମାନେ ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ଦାବି ଜଣାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share