ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ିଲା: ସ୍ବାମୀ ମୃତ; ସ୍ତ୍ରୀ,ଜ୍ୱାଇଁ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୨୫ା୧୦(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ମିଶ୍ରମାଳରେ ଲଗାଣବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡିବାରୁ ସେଥିରେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଛି ା ମୃତକଙ୍କ ସ୍ତ୍ରୀ ଓ ଜ୍ୱାଇଁ ଆହତ ହୋଇଛନ୍ତି ା ଉଭୟଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ତେନ୍ତଳାପଶି ମିଶ୍ରମାଳ ଗ୍ରାମର ମକରା ମୁଣ୍ଡା, ତାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡା ଏବଂ ଜ୍ୱାଇଁ ସମା ମୁଣ୍ଡାଙ୍କ ସମେତ ପରିବାର ଲୋକେ ବୁଧବାର ରାତିରେ ଖାଇ ସାରିବା ପରେ ଘରେ ଶୋଇଥିଲେ। ଲଗାଣବର୍ଷା ଲାଗି ରହିଥିଲା। ବିଳମ୍ବିତ ରାତିରେ ସେମାନେ ଶୋଇଥିବା କଚ୍ଚା ଘରର କାନ୍ଥ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଥିଲା। ଘରେ ଶୋଇଥିବା ମକରା, ସୋମବାରୀ ଓ ସମା ମୁଣ୍ଡାଙ୍କ ଉପରେ କାନ୍ଥ ଚାପି ହୋଇଯାଇଥିଲା। ମକରାଙ୍କ ପୁଅ କରମୁ ମୁଣ୍ଡା ଓ ପଡୋଶୀମାନେ ଗୁରୁତର ଅବସ୍ଥାରେ ୩ ଜଣଙ୍କୁ କାନ୍ଥ ତଳୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ମକରାଙ୍କ ବାଟରେ ମୃତ୍ୟୁ ହୋଇସାରିଥିଲା ା ସୋମବାରୀ ଏବଂ ସମା ମୁଣ୍ଡା ଜିଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସୂଚନାଯୋଗ୍ୟ, ମକରା ମୁଣ୍ଡା ଗରୀବ ଓ ବିପିଏଲ୍‌ ବର୍ଗର ହୋଇଥିବାବେଳେ ଖଣ୍ଡିଏ ଆବାସ ଘର ପାଇବା ପାଇଁ ଅନେକ ଦିନ ହେବ ପଞ୍ଚାୟତ ଓ ବ୍ଲକ କାର୍ଯ୍ୟାଳୟ ଏପରିକି ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ନିବେଦନ କରିଥିଲେ ା ତଥାପି ତାଙ୍କୁ ଘର ଖଣ୍ଡିଏ ମିଳି ନ ଥିଲା। ଏଇ ଅଳ୍ପଦିନ ତଳେ ସୌଭାଗ୍ୟବଶତଃ ମକରାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ମିଳିଥିଲା। ସେ ଘର କରିବା ପୂର୍ବରୁ ଏଭଳି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି ା ପୂର୍ବରୁ ଯଦି ତାଙ୍କୁ ପକ୍କା ଘରଟିଏ ମିଳିଥାଆନ୍ତା ତେବେ ଆଜି ମକରା ବଞ୍ଚି ଥାଆନ୍ତେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ା ପଣ୍ଡାପଡା ଥାନା ଆଇଆଇସି ପଦ୍ମାଳୟା ସାହୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ା ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୯/୨୦୧୯) ରୁଜୁ ହୋଇଛି ା