ଲଗାଣ ବର୍ଷାରେ ଘର ଭାଙ୍ଗିଲା, ପୋଲ ଦବିଲା

ଖଜୁରୀପଡ଼ା,୧୦ା୮(ଡି.ଏନ.ଏ.): ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲାର ବିଭିନ୍ନ ଅଞ୍ଚଳରେ ବହୁ କ୍ଷୟକ୍ଷତି ହୋଇଛି। ଖଜୁରିପଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିଥିବାବେଳେ କେତେକ ସ୍ଥାନରେ ପୋଲ ଦବିଯାଇଛି। ବଲସକୁମ୍ପା ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀଙ୍କ ନିକଟରେ ପୁରୁଣା ପାଣି ନଦୀ ବା କାଣିଜୁର ପୋଲ ୨୦/୩୦ ବର୍ଷର ହୋଇଥିବା ଯୋଗୁ ଦବି ଯାଇଥିବାବେଳେ ପୋଲ ତଳର ଗାର୍ଡଓ୍ବାଲ କିଛି ଅଂଶ ଭାଙ୍ଗି ଯାଇଛି। କାଣ୍ଡିଆ ନାଳ ପୋଲର କାନ୍ଥ ଅଂଶ ଗୁଡ଼ିକ ଫାଟି ଯାଇଥିବା ଦେଖିବାକୁ ମିଳିଛି। ବଲସକୁମ୍ପାର ଅପସରୀ ବେହେରା, ଆଡ଼ାସିପଡ଼ା କାବରଗାଁର କୁନ୍ତଳା ସାହୁ, ଦୂତିପଡ଼ା ପଞ୍ଚାୟତ କୁକୁରୁକୁମ୍ପାର ମଳୟ କୁମାର ଷାଣ୍ଢଙ୍କ ଘର ଭାଙ୍ଗି ଯାଇଛି। ଖଜୁରିପଡ଼ା ତହସିଲଦାର ମନୋଜ କୁମାର ପାଢ଼ୀ ସମ୍ପୃକ୍ତ ପଞ୍ଚାୟତର ଆର୍‌ଆଇମାନଙ୍କୁ ଘର ଭାଙ୍ଗିଥିବା ଲୋକଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଘର ଭାଙ୍ଗିଥିବା ପରିବାରକୁ ବାସଗୃହ ପ୍ରଦାନ ସହ ଓ ଦବି ଯାଇଥିବା ପୋଲ ନିର୍ମାଣ କରିବାକୁ ବଲସକୁମ୍ପା ମା’ ଇଷ୍ଟଦେବୀ ଯୁବ କଳା ପରିଷଦ ତରଫରୁ ଦାବି ହୋଇଛି। ଅନ୍ୟପକ୍ଷରେ ପିଲାସାଲୁଙ୍କି ସିଦିଙ୍ଗି ଡ୍ୟାମରୁ ଚାଷ ଜମିକୁ ସଂଯୋଗ କରାଯାଇଥିବା କେନାଲ ଭଞ୍ଜରମୁଣ୍ଡା ଠାରେ ମାଟି ଧୋଇ ନେଇଛି। ଫଳରେ କେନାଲରେ ଆସୁଥିବା ପାଣି ଅନ୍ୟଆଡ଼େ ଚାଲି ଯାଇଛି। ଯଥାଶୀଘ୍ର କେନାଲ ମରାମତି କରାଯିବ ବୋଲି ଇରିଗେସନ କନିଷ୍ଠ ଯନ୍ତ୍ରୀ ସତ୍ୟ ସୁନ୍ଦର ପାତ୍ର କହିଛନ୍ତି।

Share