ନିରାକାରପୁର,୨୫।୧୦(ଡି.ଏନ୍.ଏ.): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଖୋର୍ଦ୍ଧା ଜିଲା ନିରାକାରପୁର ଲେଣ୍ଡୁ ଏବଂ ରାମେଶ୍ୱର ପଞ୍ଚାୟତର ଅନେକ ଗ୍ରାମ ଏବେ ପାଣି ଘେରରେ। ଭୋଗତିପଡ଼ା ଗ୍ରାମରେ ଥିବା ୧୦୦ ପରିବାର ପାଣି ଭିତରେ ଫସି ରହିଥିବା ବେଳେ କୁନିଆ ସାମନ୍ତରାୟ(ରେଙ୍ଗେଟା) ନୋଡାଲ ସ୍କୁଲ, ରାମେଶ୍ୱର ପଞ୍ଚାୟତର ତାଳପଡ଼ାରୁ ଚନ୍ଦନପୁର, ନିରାକାରପୁରଠାରୁ ମିରଗଡୟଣୀ, ନିରାକାରପୁରଠାରୁ ଭଗତିପଡ଼ା ରାସ୍ତା ଉପରେ ୩ ଫୁଟରୁ ଅଧିକ ଉଚ୍ଚରେ ପାଣି ଚାଲିଛି। ସେହିଭଳି ଶରଣକୂଳରୁ ପୁରୀ ଯାଇଥିବା ନୂଆ ଜଗନ୍ନାଥ ସଡ଼କ ଲେଣ୍ଡୁ ଛକ କାଜଠାରେ ମଧ୍ୟ ୩ ଫୁଟର ପାଣି ଚାଲିଛି। ଫଳରେ ଏସବୁ ରାସ୍ତା ଦେଇ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅପରପକ୍ଷେ ତାଳପଡ଼ାରୁ ଚନ୍ଦନପୁର ଯିବା ରାସ୍ତାରେ ପଡ଼ୁଥିବା ମନ୍ଦାକିନୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁ ନିକଟସ୍ଥ ଗ୍ରାମ ଗୁଡ଼ିକରେ ପାଣି ପଶିିଛି। ବର୍ଷା ବିତ୍ପାତ ଯୋଗୁ ଶହ ଶହ ହେକ୍ଟର ଚାଷଜମି ପାଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।