ଲଗାଣ ବର୍ଷାରେ ବୁଡ଼ିଲା ରାଜଧାନୀ ରାସ୍ତା

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦୁଇଦିନ ହେବ ଲଗାଣ ବର୍ଷା ଜାରି ରହିଛି। ତେବେ ଭୁବନେଶ୍ୱରରେ ତୁହାକୁ ତୁହା ପ୍ରବଳ ବର୍ଷା ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛି। ସହରର ଗଳିକନ୍ଦିଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାଗୁଡ଼ିକରେ ବର୍ଷା ଓ ଡ୍ରେନ୍‌ ପାଣି ମାଡ଼ି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ପରିସ୍ଥିତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଡ୍ରେନେଜ ବ୍ୟବସ୍ଥା ଓ ସ୍ମାର୍ଟସିଟିର ବାସ୍ତବାକୁ ପଦାରେ ପକାଇ ଦେଇଛି।
ବର୍ଷା ପାଣି ନିଷ୍କାସିତ ହୋଇ ନ ପାରିବାରୁ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ଲୋକେ ନାନା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନ ସମ୍ପ୍ରସାରଣ ଓ ଭଲ ଭାବେ ସଫେଇ ନ ହେବା କାରଣରୁ ଲୋକେ ଜଳବନ୍ଦୀ ଅବସ୍ଥାରେ ରହୁଛନ୍ତି। ମଙ୍ଗଳବାର ବିଳମ୍ବିତ ରାତି ଓ ବୁଧବାର ସକାଳେ ହୋଇଥିବା ଲଗାଣ ବର୍ଷାରେବିଶେଷକରି ନୟାପଲ୍ଲୀ ବେହେରାସାହି, କଟକ ରୋଡ, ମାଉସୀମା ଛକ, ୟୁନିଟ ୮ ଅଞ୍ଚଳ, ବମିଖାଲ, ଚିନ୍ତାମଣିଶ୍ୱର, ଜିଜିପି କଲୋନୀ ଆଦି ବିଭିନ୍ନ ଅଞ୍ଚଳରେ ସ୍ଥିତି ଅଧିକ ଜଟିଳ ରହିଛି। ହଠାତ୍‌ ଜୋର୍‌ରେ ବର୍ଷା ହେଲେ ରାସ୍ତାରେ ବହୁ ସମୟ ଧରି ପାଣି ଜମି ରହି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି।

Share