Categories: ଜାତୀୟ

ଲଗାଣ ବର୍ଷାରେ ବେହାଲ୍‌ ମଧ୍ୟପ୍ରଦେଶ: ଘରେ ପଶିଲା ପାଣି, ସ୍କୁଲ କଲେଜ ବନ୍ଦ

ଭୋପାଳ,୯।୯: ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ମଧ୍ୟପ୍ରଦେଶ। ସହରର ନାଳଗୁଡିକରେ ପାଣି ଉଛୁଳିପଡ଼ିଥିବା ବେଳେ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଲଗାଣ ବର୍ଷା ଯୋଗୁ ଭୋପାଳ, ବିଦିଶା, ସିହୋର, ରାୟସେନ,ମଣ୍ଡଲା, ଉଜୈନ, ଓ ନରସିଂହପୁର ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର ମାଣ୍ଡଲାରେ ସର୍ବାଧିକ ୧୩୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କେବଳ ସେତିକି ନୁହେଁ ବର୍ଷା ଯୋଗୁ କେତେକ ଘରଗୁଡ଼ିକରେ ପାଣି ପଶିଯାଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅନ୍ୟପଟେ ସିହୋରରେ ପାର୍ବତୀ ନଦୀ ଉଛୁଳିଥିବା ବେଳେ ଜବଲପୁର ନର୍ମଦା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଥିଯୋଗୁ ନର୍ମଦା ନଦୀର ୨୧ଟି ଗେଟ୍‌ ଖୋଲାଯାଇଛି। ସେହିପରି ସିବନୀ ଓ ବେନଗଙ୍ଗା ନଦୀରେ ୩ଜଣ ବ୍ୟକ୍ତି ଭାସିଯାଇଥିବା ନେଇ ସୂଚନା ରହିଛି। ପ୍ରବଳ ବର୍ଷା ଯୋଗୁ ଭୋପାଳ ସମେତ ୧୨ଟି ଜିଲାରେ ସୋମବାର ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ସେପ୍ଟେମ୍ବର ୯ ଏବଂ ୧୦ରେ ସହରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ସହରଗୁଡ଼ିକରେ ଆଲର୍ଟ ଜାରି କରାଯାଇଛି। ସେହିପରି ବନ୍ୟା ପ୍ରଭାବିତ ଲୋକଙ୍କୁ ଖୁବ୍‌ଶୀଘ୍ର ଚିହ୍ନଟ କରାଯାଇ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବା ପାଇଁ ରାଜ୍ୟ ଜନସର୍ମ୍ପକ ମନ୍ତ୍ରୀ ପି.ସି. ଶର୍ମା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ତଳିଆ ଅଞ୍ଚଳଗୁଡିକର ଲୋକମାନଙ୍କୁ ତୁରନ୍ତ ସେଠାରୁ ସ୍ଥାନାନ୍ତରିତ କରାଯାଉ ବୋଲି ସେ କହିଛନ୍ତି।

Share