ଲଗାଣ ବର୍ଷାରେ ବେହାଲ କଟକ: ଘରେ ପଶିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

କଟକ ଅଫିସ,୭।୭: ଗତ ଦୁଇଦିନ ଲଗାଣ ବର୍ଷା ଯୋଗୁ କଟକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ସହରର ସମସ୍ତ ଗଳିକନ୍ଦି ଓ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡି ମାରୁଛି। ଏପରି କି କେତେକ ଲୋକଙ୍କ ଘରେ ପାଣି ପଶିଥିବା ଦେଖିବାକୁ ମିଳିଛି। ମୋଟାମୋଟି ଭାବେ କହିବାକୁ ଗଲେ ଲୋକେ ଏକପ୍ରକାରର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ହେଲେ ଏହି ସମସ୍ୟା କଟକରେ ନୂଆ ନୁହେଁ। କଟକରେ ଲୋକମାନେ ଯେପରି ଜଳବନ୍ଦୀ ଅବସ୍ଥାରେ ନ ରହିବେ ସେଥିପାଇଁ ପୂର୍ବରୁ ଅନେକଥର କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ବୈଠକ ଅନୁଷ୍ଠିତ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା। ଏହାସତ୍ତ୍ୱେ ଏହାର ସ୍ଥାୟୀ ସମାଧାନ କରିବା ପାଇଁ କଟକ ମହାନଗର ନିଗମ(ସିଏମ୍‌ସି) ଫେଲ୍‌ ମାରିଛି। ଚଳିତବର୍ଷ ବର୍ଷା ଆରମ୍ଭରୁ କଟକର ସ୍ଥିତି ବେହାଲ ହୋଇପଡିଲାଣି। ବିଶେଷକରି ଶନିବାର ହୋଇଥିବା ବର୍ଷା ଲୋକମାନଙ୍କ ଦୁର୍ଦ୍ଦଶା ବଢାଇ ଦେଇଛି। ସହରର ବାଦାମବାଡ଼ି-ଲିଙ୍କ୍‌ରୋଡ ରାସ୍ତା, ଶଙ୍କରପୁର, ଖାନ୍‌ନଗର, ତୁଳସୀପୁର, ଓଡ଼ିଆ ବଜାର, ମେରିଆବଜାର, କାଜିବଜାର, ସୂତାହାଟ, ତୁଳସୀପୁର ମଠସାହି, ସିଦ୍ଧେଶ୍ୱରସାହି, କାଳିଗଳି, ବୁଢ଼ି ଠାକୁରାଣୀ, ଚୂନଭାଟି ଗଳି, ରୋଭରଷ୍ଟ୍ରିଟ, ଦିୱାନ ବଜାର, ଚାଉଳିଆଗଞ୍ଜ, ମହାନଦୀ ବିହାର, ନୂଆବଜାର, ଯୋବ୍ରା, ମଙ୍ଗଳାବାଗ, ରାଉସାପାଟଣା, ପ୍ରଫେସରପଡ଼ା, ଫ୍ରେଣ୍ଡସ କଲୋନୀ, କେଶରପୁର, ବଣିଆସାହି, ପିଠାପୁର, ବଢ଼େଇ ସାହି, କାଠଗଡ଼ା ସାହିର ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଥିଲା। ଅନ୍ୟପକ୍ଷରେ ଶନିବାର ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ ପଟାପୋଲ ଜଳାର୍ଣ୍ଣବ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ସେହିପରି ସିଏମ୍‌ସି କମିଶନର ଅନନ୍ୟା ଦାସ ସହରରେ ପାଣି ଜମି ରହୁଥିବା ସ୍ଥାନ ବୁଲି ଦେଖିଛନ୍ତି। ସମସ୍ୟା ସମ୍ପର୍କରେ କମିଶନର ଦାସ କହିଛନ୍ତି, ଜଳ ନିଷ୍କାସନ ନିମନ୍ତେ ସହରର ବିଭିନ୍ନ ସ୍ଥାନରେ ୨୨୦ ପମ୍ପସେଟ ଲଗାଯାଇଛି। ଅଧିକ ବର୍ଷା ହେଲେ ଅଗ୍ନିଶମ ବିଭାଗର ସହାୟତା ନିଆଯିବ। ଦରକାର ପଡିଲେ ଅଧିକ ସଂଖ୍ୟକ ପମ୍ପ ବିଭିନ୍ନ ସ୍ଥାନରେ ଲଗାଯିବ ବୋଲି ସେ କହିଛନ୍ତି।

Share