ଲଗାଣ ବର୍ଷାରେ ଭାଙ୍ଗିଲା ଘର : ଅସହାୟ ଶଙ୍ଖାଳି

ଗଣିଆ, ୧୪।୯ (ଡି.ଏନ.ଏ.): ଲଗାଣ ବର୍ଷା ପ୍ରଭାବରେ ନୟାଗଡ ଜିଲା ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ହରିପୁର ଗ୍ରାମର ଶଙ୍ଖାଳି ବେହେରାଙ୍କ ଏକ ବଖରା ଚାଳଘର ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଲଗାଣ ବର୍ଷା ଯୋଗୁ ଶଙ୍ଖାଳିଙ୍କ ମାଟିଘର କାନ୍ଥ ଭିଜିଯାଇଥିବା ବେଳେ ଶୁକ୍ରବାର ସକାଳୁ ଘରଟି ଭାଙ୍ଗି ପଡିଥିଲା। ସୌଭାଗ୍ୟବଶତଃ ସକାଳେ ଶଙ୍ଖାଳି କୌଣସି କାର୍ଯ୍ୟରେ ଘରୁ ଅନ୍ୟତ୍ର ଚାଲିଯାଇଥିଲେ । ଫଳରେ ସେ ଏକ ବଡ ବିପଦରୁ ବର୍ତ୍ତି ଯାଇଥିବା ପଡୋଶୀ ପ୍ରକାଶ କରିଛନ୍ତି ।
ଶଙ୍ଖାଳି ଜଣେ ଦିନମଜୁରିଆ ଭାବେ ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଗତ କିଛିବର୍ଷ ଧରି ରୋଗଗ୍ରସ୍ତ ହେବା ଯୋଗୁ ଆଉ କୌଣସି କାମଧନ୍ଦା କରିପାରୁନାହାନ୍ତି । ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନାରୁ ମିଳୁଥିବା ୩୫ କିଲୋ ଚାଉଳ ଓ ବାର୍ଦ୍ଧକ୍ୟ ଭତ୍ତା ଶଙ୍ଖାଳିଙ୍କ ବଞ୍ଚତ୍ବାର ରାହା ପାଲଟିଛି । ଦୁଇଝିଅଙ୍କ ବିବାହ ପରେ ରୋଗଗ୍ରସ୍ତ କାରଣରୁ ଗତ ୩ ବର୍ଷ ତଳେ ସ୍ତ୍ରୀ ମହରଗୀଙ୍କ ମୃତ୍ୟୁ ହୋଇଥିଲା । ତା’ ପର ଠାରୁ ଶଙ୍ଖାଳି ଏକାକୀ ଜୀବନ ବିତାଉଥିବା ଗ୍ରାମବାସୀ କହିଛନ୍ତି । ରୋଗଗ୍ରସ୍ତ ଜୀବନ ସାଙ୍ଗକୁ ଆର୍ଥିକ ଅନଟନ ଯୋଗୁ ବାପଅଜା ଅମଳର ପୁରୁଣା ଚାଳଘରକୁ ମରାମତି କରିବାକୁ ସମର୍ଥ ନାହାନ୍ତି ଶଙ୍ଖାଳି । ୨ବଖରା ଝାଟିମାଟି ଚାଳଘର ମଧ୍ୟରୁ ଗୋଟିଏ ବଖରା ଭାଙ୍ଗିଯାଇଥିବା ବେଳେ ଅନ୍ୟଟି ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବା ଦେଖାଯାଇଛି । ବାର୍ଦ୍ଧକ୍ୟ ସମୟରେ ଆମତ୍ୀୟ ସ୍ବଜନ କେହି ପାଖରେ ନ ଥିବା ବେଳେ ଘର ଭାଙ୍ଗିଯିବା ପରେ ଶଙ୍ଖାଳି ଦୁଃଖରେ ଭାଙ୍ଗି ପଡିଛନ୍ତି। ସ୍ବାଭିମାନୀ ମଣିଷ ହେତୁ ସରକାରଙ୍କ କୌଣସି ସହାୟତା ପାଇଁ କେବେ କାହାରିକୁ ମଧ୍ୟ ସେ ଗୁହାରି କରି ନ ଥିବା ପଡ଼ୋଶୀମାନେ କୁହନ୍ତି । ତେବେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ଶଙ୍ଖାଳିଙ୍କୁ ତୁରନ୍ତ ଘରଭଙ୍ଗା ସହାୟତା ଯୋଗାଇଦେବା ସହ ସରକାରଙ୍କ ଆବାସ ଯୋଜନାରେ ପକ୍କାଘର ଖଣ୍ଡିଏ ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Share