ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପଡ଼ୋଶୀଙ୍କ ବାରଣ୍ଡାରେ ଆଶ୍ରୟ ନେଲେ ବୃଦ୍ଧ ଦମ୍ପତି

କୋଟଗଡ଼, ୧୨। ୯(ଡି.ଏନ୍‌.ଏ.): ସରକାରଙ୍କ ତରଫରୁ ବାସହୀନଙ୍କୁ ଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ କନ୍ଧମାଳ ଜିଲା କୋଟଗଡ ବ୍ଳକ ଯୁଡ଼ାବାଲି ପଞ୍ଚାୟତ ଗୁମପଦର ଗ୍ରାମର ପାଇନା ମଲିକ(୬୦)ଙ୍କ ପାଇଁ ସେସବୁ ସାତସପନ ପାଲଟିଛି।

ସ୍ତ୍ରୀଙ୍କ ସହ ପାଇନା ଦୀର୍ଘଦିନ ଧରି କଚ୍ଚା ଘରେ ରହିଆସୁଥିଲେ। ମାତ୍ର ଗତ ଲଗାଣ ବର୍ଷାରେ ଉକ୍ତ ଘରଟି ଭାଙ୍ଗିଯାଇଛି। ଫଳରେ ସେମାନେ ପଡ଼ୋଶୀଙ୍କ ଘର ବାରଣ୍ଡାରେ ଆଶ୍ରୟ ଦେଇଛନ୍ତି। ଉକ୍ତ ଦମ୍ପତି ନିଃସନ୍ତାନ ଥିବା ବେଳେ ରୋଜଗାରର କିଛି ମାଧ୍ୟମ ନ ଥିବାରୁ ଭାଙ୍ଗି ଯାଇଥିବା ଘର ସଜାଡ଼ିବା ସମ୍ଭବପର ନୁହେଁ। ଏପରିକି ବାର୍ଦ୍ଧକ୍ୟ ଭତ୍ତା ମିଳୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ କୋଟଗଡ଼ ତହସିଲଦାର ଲକ୍ଷ୍ମଣ ସୁରେନ୍‌ଙ୍କୁ ପଚାରିବାରୁ ସେ କୁହନ୍ତି, ଯଦି ଘର ଭାଙ୍ଗିଯାଇଛି, ତେବେ ତାଙ୍କୁ ତୁରନ୍ତ ପଲିଥିନ ଯୋଗାଇ ଦିଆଯିବ। ଏଥିସହ କୋଟଗଡ଼ ବିଡିଓଙ୍କୁ କହି ଏକ ପକ୍କାଘର ଯୋଗାଇଦେବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

Share