ଲଗାଣ ବର୍ଷା: ଭାଙ୍ଗିଲା ଘରର କାନ୍ଥ, ପରିବାର ବାସହରା

ରଘୁନାଥପୁର, ୨୭। ୯ (ଡି.ଏନ.ଏ.):  ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଗଲା ଚାଳ ଛପର ମାଟି ଘରର କାନ୍ଥ। ପରିବାର ଲୋକେ ଭୋଗୁଛନ୍ତି ହୀନସ୍ତା। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରଘୁନାଥପୁର ତହସିଲ ରାଢଙ୍ଗ ଗଁ।ର ଦିନ ମଜୁରିଆ ଅଭିମନ୍ୟୁ ସ୍ବାଇଁଙ୍କ ପରିବାର କ୍ଷେତ୍ରରେ। ବାତ୍ୟା ଫନୀରେ ଚାଳ ଛପର ଘରଟି ପ୍ରଭାବିତ ହୋଇଥିବାବେଳେ, ଅସଜଡା ଘରକୁ ସଜାଡି ଅଭିମନ୍ୟୁଙ୍କ ପରିବାର ସେଥିରେ ମୁଣ୍ଡ ଗୁଞ୍ଜିଥିଲେ। ୩ ଧରି ଅନବରତ ବର୍ଷାରେ ମାଟି କାନ୍ଥ ଧୋଇଯାଇ ଖଣ୍ଡ ବିଖଣ୍ଡିତ ହୋଇଯାଇଛି। କେତେକ ସ୍ଥାନରେ ଓଦା କାନ୍ଥ ରହିଥିଲେ ବି ଉକ୍ତ ଘରେ ଚଳିବା ପାଇଁ ଅନୁପଯୁକ୍ତ ହୋଇପଡିଛି। ଏହାଛଡା ଗୁହାଳ ଘରଟି ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗୃହପାଳିତ ପ୍ରାଣୀଙ୍କୁ ରଖିବାକୁ ରାହା ନାହିଁ। ଅଭିମନ୍ୟୁଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ଦୀର୍ଘଦିନ ହେଲା ପରିବାରଙ୍କୁ ନେଇ ମାଟି ଘରେ ଚଳି ଆସୁଥିଲେ। ବିଭିନ୍ନ ସମୟରେ ଘର ଖଣ୍ଡେ ପାଇଁ ସରପଞ୍ଚ, ବିଧାୟକଙ୍କଠାରୁ ଆରମ୍ଭ କରି ପ୍ରଶାସନ ପାଖରେ ନେହୁରା ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ଛଡା ଆଉ କିଛି ମିଳିନାହିଁ ବୋଲି କ୍ଷୋଭର ସହ ସେ ପ୍ରକାଶ କରଛନ୍ତି। ତାଙ୍କ ପାଇଁ ସରକାରୀ ଗୃହ ଯୋଜନା ଅପହଞ୍ଚ ହୋଇଯାଇଥିବାର ସେ ଅଭିଯୋଗ କରଛନ୍ତି। ଏ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ପାଖରେ ପହଞ୍ଚତ୍ ନ ଥିବା କିମ୍ବା ପାଲ ଖଣ୍ଡିଏ ମଧ୍ୟ ଯୋଗାଇ ଦିଆଯାଇ ନ ଥିବାର ଅଭୁମନ୍ୟୁ କହିଛନ୍ତି। ବାସହରା ପରିବାରଙ୍କୁ ସରକାର ତଥା ପ୍ରଶାସନ ସହଯୋଗରେ ହାତ ବଢାଇବା ଜରୁରୀ ହୋଇପଡିଥିବାବେଳେ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।

Share