ଲଗାଣ ବର୍ଷା ଯୋଗୁ କୋରୁକୋଣ୍ଡା ଅଞ୍ଚଳର ଅନେକ ପୋଲ ଉପରେ ବର୍ଷା ଜଳ ପ୍ରବାହିତ

କୋରୁକୋଣ୍ଡା, (ଡି.ଏନ୍‌.ଏ.)୨।୭: ଗୁରୁବାର ରାତିରୁ ଲଗାଣ ବର୍ଷା ହେତୁ ମାଲକାନଗିରି ଜିଲା କୋରୁକୋଣ୍ଡା ଅଞ୍ଚଳରେ ଅନେକ ନଦୀ ଓ ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି। କୋରୁକୋଣ୍ଡା ନଦୀ ଏବଂ ଚାଲାଣଗୁଡ଼ା ନିକଟସ୍ଥ ତମସା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ଏମ୍‌ଭି-୩୭ ପୋଲ ଉପରେ ବନ୍ୟା ଜଳ ପ୍ରାୟ ୩ରୁ ୪ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି। କୋରୁକୋଣ୍ଡା ପୋଲ ଉପରେ ପ୍ରାୟ ୪ ଫୁଟ ଏବଂ ତମସା ପୋଲ ଉପରେ ପ୍ରାୟ ୫ ଫୁଟ ଉଚ୍ଚରେ ଜଳ ପ୍ରବାହ ହେଉଛି। ତମସା ପୋଲ ଉପରେ ଜଳ ପ୍ରବାହିତ ହେଉଥିବା ଫଳରେ ମାଲକାନଗିରିଠାରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସୁକୁମାକୁ ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଛି। ସେହିପରି କୋରୁକୋଣ୍ଡା ପୋଲ ଓ ଏମ୍‌ଭି-୩୭ ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ବାଲିମେଳା ଓ ମାଲକାନଗିରି ମୁଖ୍ୟ ରାସ୍ତାଦେଇ ଗମନାଗମନ ବନ୍ଦ ରହିଛି। ସପ୍ତାହେଧରି ଲଗାଣ ବର୍ଷା ହେତୁ ବିଭିନ୍ନ ଜମିଦେଇ ବନ୍ୟା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ଆହୁରି ୨ରୁ ୩ ଦିନ ଲଗାଣ ବର୍ଷାର ସମ୍ଭାବନା ହେତୁ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।