ଲଗାଣ ବର୍ଷା: ସ୍କୁଲରେ ଉପସ୍ଥାନ ଶୂନ

କଟକ ଅଫିସ,୭।୭- ଲଗାଣ ବର୍ଷା ଯୋଗୁ କଟକ ସହର ଜଳାର୍ଣ୍ଣବ ହୋଇଛି। ବିଶେଷକରି ଏହାର ପ୍ରଭାବ ପାଠପଢା ଉପରେ ପଡିଛି। ଶନିବାର ବର୍ଷାଯୋଗୁ ସହରର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପିଲାଙ୍କ ଉପସ୍ଥାନ କମ୍‌ ରହିଥିବାବେଳେ କେତେକ ସ୍କୁଲରେ ଉପସ୍ଥାନ ସମ୍ପୂର୍ଣ୍ଣ ଶୂନ ରହିଥିବା ଦେଖିବାକୁ ମିଳିଛି। ବର୍ଷାଜଳ ରାସ୍ତା ଉପରେ ଲହଡି ମାରିବା ଯୋଗୁ ଯାତାୟତରେ ସମସ୍ୟା ଦେଖାଦେଇଛି। ସିଡିଏ ଡିଏଭି ସ୍କୁଲର ଜଣେ ବରିଷ୍ଠ ଶିକ୍ଷୟିତ୍ରୀ କହିଛନ୍ତି, ସେଠାରେ ପ୍ରାୟ ୫ହଜାର ଛାତ୍ରୀଛାତ୍ର ପାଠ ପଢ଼ନ୍ତି। ଶନିବାର ବର୍ଷାଯୋଗୁ ଏହାର ଏକ ତୃତୀୟାଂଶ ଛାତ୍ରୀଛାତ୍ର ସ୍କୁଲକୁ ଆସିନାହାନ୍ତି। ସେହିପରି ସମସ୍ତ ଶିଶୁମନ୍ଦିରଗୁଡ଼ିକର ଅବସ୍ଥା ମଧ୍ୟ ଅନୁରୁପ। ତେବେ ସବୁଠାରୁ ଦୁଃଖଦାୟକ ଛବି ଦେଖିବାକୁ ମିଳିଥିଲା ପ୍ୟାରୀମୋହନ ଏକାଡେମୀ ବିଦ୍ୟାଳୟରେ। ଏଠାରେ ୬୦୦ରୁ ଉର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢୁଥିବାବେଳେ ଜଣେ ହେଲେ ବି ଶନିବାର ବିଦ୍ୟାଳୟକୁ ଆସି ନ ଥିଲେ। ବିଦ୍ୟାଳୟ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିବା ବେଳେ ଏହାର ପରିସରରେ ଦୁଇଦିନ ହେଲାଣି ବର୍ଷାଜଳ ଲହଡ଼ି ମାରୁଛି। ଏଣୁ ବିଦ୍ୟାଳୟକୁ ଆସିବା ମୁସ୍କିଲ ହୋଇପଡ଼ିଛି। ଏ ନେଇ ଉକ୍ତ ବିଦ୍ୟାଳୟର ଜଣେ ଶିକ୍ଷକ ପରିଚୟ ଗୋପନ ରଖି କହିଛନ୍ତି, ସ୍କୁଲ ସମ୍ମୁଖରେ ବର୍ଷାଜଳ ଜମିବା ନୁଆ କଥା ନୁହେଁ। ଅନେକଥର ଏ ସମ୍ପର୍କରେ ସିଏମ୍‌ସିକୁ ଜଣାଇଛୁ। ହେଲେ କେହି ଶୁଣୁନାହାନ୍ତି। କୌଣସି ଅଭିଭାବକ ନିଜ ପିଲାଙ୍କୁ ବର୍ଷାରେ ଆଣି ସ୍କୁଲ ଛାଡ଼ିବାକୁ ରାଜି ହେଉନାହାନ୍ତି।

ରେନି-ଡେ କାହିଁକି ଘୋଷଣା କରାଯାଇନାହିଁ ବୋଲି ସାଧାରଣରେ ପ୍ରଶ୍ନ ହୋଇଥିବା ବେଳେ ଏ ସମ୍ପର୍କରେ ଜିଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା କହିଛନ୍ତି, ରେନି-ଡେ’ ଘୋଷଣା ଉପରିସ୍ଥ ଅଫିସରଙ୍କ ନିର୍ଦ୍ଦେଶ। ତେବେ ବର୍ଷା ଲାଗି ରହିବ ବୋଲି ଆଶା ନ ଥିଲା। ତେଣୁ ପୂର୍ବରୁ ନିଷ୍ପତ୍ତି ହୋଇପାରିନାହିଁ ବୋଲି ସେ କହିଛନ୍ତି।

Share