ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ: ୨୮ରୁ ବର୍ଷା ପରିମାଣ ବଢ଼ିବ

ଭୁବନେଶ୍ୱର, ୨୫।୮(ବ୍ୟୁରୋ)/ ତାଳଚେର ଅଫିସ: ଉତ୍ତର-ପଶ୍ଚିମ ବଙ୍ଗୋପସାଗର, ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଶନିବାର ଲଘୁଚାପର ରୂପ ନେଇଛି। ଏହା ପ୍ରଭାବରେ ଉପକୂଳ ଓ ପଶ୍ଚିମ ଓଡିଶାର କେତେକ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି। ଆଉ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇଛି। ରବିବାର ମଧ୍ୟ କେତେକ ଜିଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୮ରେ ଆଉଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଥିବାରୁ ବର୍ଷା ପରିମାଣ ଆହୁରି ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଶନିବାର ଟିଟିଲାଗଡ଼ରେ ସର୍ବାଧିକ ୬୨ମିଲିମିଟର ବର୍ଷା ହୋଇଥିବାବେଳେ କେନ୍ଦୁଝରରେ ୧୭.୭, ଗୋପାଳପୁରରେ ୧୩.୨, ପାରାଦୀପରେ ୧୨.୮, ତାଳଚେରରେ ୧୦, ଅନୁଗୋଳ ୭, କୋରାପୁଟ ୬, ଝାରସୁଗୁଡ଼ା ୫, ମାଲକାନଗିରି ୪, ଭୁବନେଶ୍ୱରରେ ୩, ବାଲେଶ୍ୱର, ଚାନ୍ଦବାଲି ଓ ଦାରିଙ୍ଗବାଡ଼ିରେ ୨ ମିମି ଲେଖାଏ ରେକର୍ଡ କରାଯାଇଛି। ଲଘୁଚାପ ପ୍ରଭାବରେ ରବିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବୌଦ୍ଧ, ପୁରୀ ଆଦି ଜିଲାରେ ପ୍ରବଳ ବର୍ଷା ହେବ। ଆସନ୍ତା ୨୪ଘଣ୍ଟା ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଏହାପରେ ବର୍ଷା ପରିମାଣ କମିବ। କିନ୍ତୁ ୨୮ ତାରିଖ ବେଳକୁ ଆଉଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଉକ୍ତଦିନ ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏଥିସହିତ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଖୋର୍ଦ୍ଧା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଆଦି ଜିଲାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ଅନ୍ୟପକ୍ଷରେ ବଜ୍ରପାତ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଶନିବାର ଅନୁଗୋଳ ଜିଲାରେ ୨ଜଣଙ୍କର ମୃତ୍ୟୁ ଘଟିଛି। ଅନୁଗୋଳ ସହର ଉପକଣ୍ଠ ବେନ୍ତପୁର ଗ୍ରାମର ଗିରିଶ ବେହେରା(୪୫) ଓ ଖଣ୍ଡହତା ଗ୍ରାମର ପ୍ରତାପ ବେହେରା(୪୦) ବିଲରେ କାମ କରୁଥିବାବେଳେ ବଜ୍ରପାତ ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।