ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତା, ଘରେ ପଶିଲା ବର୍ଷାଜଳ

ବ୍ରହ୍ମପୁର ଅଫିସ,୨୪।୧୦: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବୁଧବାରରୁ ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ବେହାଲ ହୋଇପଡ଼ିଛି ବ୍ରହ୍ମପୁର। ସହରର ବିଭିନ୍ନ ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଗଜପତିନଗର ୧୧ତମ ଗଳିରୁ ୧୪ତମ ଗଳିର ମୁଖ୍ୟରାସ୍ତାରେ ପ୍ରାୟ ୨ ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତାରେ ବର୍ଷାଜଳ ଜମିରହିଛି।

ଅନ୍ୟପଟେ ନୀଳାଚଳ ନଗର, ଗାନ୍ଧିନଗର, ଲକ୍ଷ୍ମୀନୃସିଂହ ସାହି ଘର ଭିତରକୁ ବର୍ଷାଜଳ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ସେହିପରି ଲୋଚାପଡା ମୁଖ୍ୟରାସ୍ତା, ଆସ୍କାରୋଡ, ସେଲଟେକ୍ସ ଛକ ରାସ୍ତାରେ ମଧ୍ୟ ଜଳାର୍ଣ୍ଣବ ହୋଇଯାଇଛି। ଫଳରେ ଲୋକଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଲଘୁଚାପ ଜନିତ ବର୍ଷା ନେଇ ପୂର୍ବ ସୂଚନା ସତ୍ୱେ ବିଭିନ୍ନ ସ୍ଥାନରେ ଡ୍ରେନେଜ ସଫେଇ ଓ ଡ୍ରେନେଜ ଗୁଡିକର ପୁନରୁଦ୍ଧାର କାର୍ଯ୍ୟରେ ବ୍ରହ୍ମପୁର ମହାନଗର ନିଗମର ଅବହେଳା ହୋଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share