ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି

ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋପାଳପୁର ପାଣିପାଗ କେନ୍ଦ୍ର ଇନ୍‌ଚାର୍ଜ ଉମାଶଙ୍କର ସାହୁଙ୍କ ସୂଚନା ଅନୁଯାୟୀ, ଗୁରୁବାର ସକାଳ ୮.୩୦ ସୁଦ୍ଧା ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ୧୦୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସେ ସୂଚାଇଛନ୍ତି ।

ଅପରପକ୍ଷେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର ମହାନଗର। ସହରର ୨ନଂ ୱାର୍ଡ ଲକ୍ଷ୍ମୀ ନୃସିଂହ ସାହିରେ ପ୍ରାୟ ୨ଫୁଟରୁ ଊର୍ଦ୍ଧ୍ୱ ଉଚ୍ଚତାର ବର୍ଷାଜଳ ଜମି ରହିବା ସହ ଘର ମଧ୍ୟରେ ନର୍ଦ୍ଦମାମିଶା ବର୍ଷା ଜଳ ପଶିଛି । ସେହିପରି କେସି ଟାଉନ ହାଇସ୍କୁଲ ଭିତରେ ନର୍ଦ୍ଦମା ଜଳ ପଶିବା ଫଳରେ ସ୍କୁଲରେ ପାଠପଢା ବ୍ୟାହତ ହୋଇଛି । ଗଜପତି ନଗର, ଅନନ୍ତ ନଗର ୫ମ ଗଳି, ରେଡ଼ିଓ ଷ୍ଟେସନ ବ୍ୟାଙ୍କ କଲୋନୀ, ଆସ୍କାରୋଡ ପ୍ରମୁଖ ମୁଖ୍ୟ ରାସ୍ତାରେ ପ୍ରାୟ ୨ ଫୁଟ ଉଚ୍ଚତାରେ ନର୍ଦ୍ଦମା ମିଶା ବର୍ଷା ଜଳ ଜମିରହିବା ଫଳରେ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି । ତେବେ ଡ୍ରେନେଜ୍‌ ସଫେଇ ପାଇଁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସିି) ପକ୍ଷରୁ ସ୍ବତନ୍ତ୍ର ୧୫ ଜଣିଆ ଟିମ୍‌ ଗଠନ କରାଯାଇଛି । ବର୍ଷାଜଳ ନିଷ୍କାସନ ପାଇଁ ୬ ଜଣିଆ ଟିମ୍‌ ସହ ଜେସିବି ଓ ହିଟାଚିକୁ କାର୍ଯ୍ୟରେ ଲଗାଯାଇଥିବା ବିଏମ୍‌ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି ।