ଲଘୁଚାପ ବର୍ଷାରେ ବ୍ୟାପକ ଫସଲ ନଷ୍ଟ

ଭାପୁର,୨୯।୧୦(ଡି.ଏନ.ଏ.)

ଢେଙ୍କାନାଳ ଜିଲା ସଦର ବ୍ଲକ ଓ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଛଦେଶ ଅଞ୍ଚଳରେ ଗତ ଲଘୁଚାପ ବର୍ଷାରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି। ବିଲରେ ପାଣି ଜମିଥିବାରୁ ଧାନ ଗଜା ହୋଇଛି। ଟମାଟୋ, ବାଇଗଣ, କୋବି ଆଦି ଫସଲ କରିଥିବା ଚାଷୀମାନେ ବ୍ୟାପକ କ୍ଷତି ସହିଛନ୍ତି। ଲଗାଣ ବର୍ଷାରେ ବିଲରୁ ପାଣି ନିଷ୍କାସନ ହୋଇ ପାରୁ ନ ଥିବାରୁ ପରିବା ଗଛ ଲଗାଯାଇପାରୁନି ବୋଲି ଓଡ଼ାପଡ଼ା ବ୍ଲକ ଘିଟିପିରି ପଞ୍ଚାୟତ ଓସ୍ତପାଳ ଗ୍ରାମର କାମେଶ ପରିଡ଼ା, ସୁଦର୍ଶନ ନାୟକ, ଶେଷଦେବ ନାୟକ, ଶ୍ରୀଧର ସାହୁ, ଅଭିମନ୍ୟୁ ସାହୁ, ଗଣେଶ୍ୱର ପରିଡ଼ା ପ୍ରମୁଖ ଚାଷୀ ପ୍ରକାଶ କରିଛନ୍ତି।
ସେହିପରି ପରିବା ଚାଷକୁ ଭରସା କରି ଚଳୁଥିବା ପରିବାର ପାଇଁ ଏହି ବର୍ଷା ଦୁଃଖ ଆଣି ଦେଇଛି। ଋଣ କରି ଚାଷ କରିଥିବା ଚାଷୀମାନେ ବିଶେଷ କରି ଚିନ୍ତାରେ ପଡିଛନ୍ତି। ସରକାରୀସ୍ତରରେ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଯୋଗାଇ ଦେବାକୁ ବେଗୁନିଆଁପାଳର ଚାଷୀ ପ୍ରଶାନ୍ତ ଖଟୁଆ, ରବି ଖଟୁଆ, ସୁଦର୍ଶନ ରାଉତ ଦାବି କରିଛନ୍ତି। ସେହିପରି କୋଇଲିପଙ୍ଗି ଗ୍ରାମର ପ୍ରଭାକର ପଣ୍ଡାଙ୍କ ପ୍ରାୟ ୨ ଏକର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏ ନେଇ ଭାପୁର ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର ପ୍ରସାଦ ସାହୁ କହିଛନ୍ତି, ଜିଲାରେ କମ୍‌ ପରିମାଣର ବର୍ଷା ହୋଇଥିବାରୁ କ୍ଷୟକ୍ଷତି ଆକଳନ ପାଇଁ ନିର୍ଦ୍ଦେଶ ମିଳିନାହିଁ। ଯେଉଁ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ବିଭାଗସ୍ତରରେ ଦୃଷ୍ଟି ଦିଆଯିବ।

Share