ଲଘୁଚାପ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି

କୁଆମରା/ଉଦଳା/ ରାସଗୋବିନ୍ଦପୁର, ୨୭।୧୦ (ଡି.ଏନ୍‌.ଏ.)- ଲଘୁଚାପ ଜନିତ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। କେତେକ ଅଞ୍ଚଳରେ ରାସ୍ତାରେ ପାଣି ଚାଲିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା। ବର୍ଷାଛାଡିଥିଲେ ବି କେତେକ ଅଞ୍ଚଳରେ ଚାଷ ଜମି ଜଳମଗ୍ନ ହୋଇ ରହିିଛି। ଥୋଡ଼ ବାହାରିବା ସମୟରେ ଧାନଗଛ ପାଣିରେ ବୁଡି ରହିବାରୁ ବ୍ୟାପକ ଧାନ ଫସଲ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହି ବ୍ଲକ ଦେଇ ପ୍ରବାହିତ ଗଙ୍ଗାହାର ନଦୀର ଖଡିକାପଦା କଲଭର୍ଟ ଉପରେ ଶୁକ୍ରବାର ସକାଳେ ପୟାୟ ୩ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହୋଇଥିଲା। ଏଥିଲାଗି କୁଆମରା-ବଡସାହି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡିଥିଲା। ସେହିପରି ପଶୁଦା ପଞ୍ଚାୟତର ଭୋଳପଦା ଗ୍ରାମ ଦକ୍ଷିଣ ପାର୍ଶ୍ୱ ଦେଇ ପ୍ରବାହିତ ନାଲୁହା ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିଲା।
ଆମ ଉଦଳା ପ୍ରତିନିଧି ଜଣାଇଛନ୍ତି ଯେ, ୩ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସ୍ଥାନୀୟ ସହରାଞ୍ଚଳ ସମେତ ଗ୍ରାମାଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ବଜ୍ରପାତରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ଲଗାଣ ବର୍ଷାରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଉଦଳା ତହସିଲ୍‌ ଅଧୀନ ରାଢୋ, କୋଚିଳାଡିହା, ଖଲାଡି, ଶ୍ରୀଦାମଚନ୍ଦ୍ରପୁର, ପାଟଶାଣୀପୁର, ନୂଆଗଁା, ବହୁବନ୍ଧ, ଭୀମତାଳି, ବଡଖମଣ, କୁଣ୍ଡାବାଇ, ଦୁଗୁଧା, ବଡସିଙ୍ଗାରିଆ ଆଦି ପଞ୍ଚାୟତରେ ଚାଷ ଜମିରେ ବର୍ଷା ପାଣି ଜମି ରହିଥିବାରୁ ଧାନ ଫସଲ ଅଧିକ ପ୍ରଭାବିତ ହୋଇଛି। କୃଷି ବିଭାଗ ଏବଂ ତହସିଲ କାର୍ଯ୍ୟାଳୟ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ କୃଷକଙ୍କ ପକ୍ଷରୁ ସ୍ବରୁପ ମହାପାତ୍ର, ପ୍ରକାଶ ବେହେରା ପ୍ରମୁଖ ଦାବି କରିଛନ୍ତି। ଆମ ରାସଗୋବିନ୍ଦପୁର ପ୍ରତିନିଧି ଜଣାଇଛନ୍ତି ଯେ, ଲଘୁଚାପ ଜନିତ ଲଗାଣବର୍ଷା ଯୋଗୁ ରାସଗୋବିନ୍ଦପୁର ବ୍ଲକ ଅଞ୍ଚଳର ୨ ଦିନରେ ପ୍ରାୟ ୧୧୦ମି.ମି.ରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହି ବ୍ଲକ ଦେଇ ପ୍ରବାହିତ ଜମ୍ଭୀରା ଓ ସାନନଦୀରେ ଜଳସ୍ତର ବୃଦ୍ଧି ପାଇଥିଲା। ନଦୀକୂଳିଆଅଞ୍ଚଳରେ ଚାଷଜମିରେ ବର୍ଷାପାଣି ଜମି ରହବାରୁ ଖରିଫ ଫସଲ ପ୍ରଭାବିତ ହୋଇଥିବା ଆଶଙ୍କା ଦେଖାଦେଇଛି। ଢିପ ଜମରେ ସ୍ବଳ୍ପମିଆଦୀ ପାଚିଲାଧାନ କ୍ଷତିଗ୍ରସ୍ତ ହୋଇଛି।