ଲଘୁଚାପ: ୧୦ରୁ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୯।୬(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହେବ। ଏଥିସହିତ ଓଡ଼ିଶାକୁ ମୌସୁମୀ ପ୍ରବେଶ କରିବ। ରାଜ୍ୟରେ ବିଭିନ୍ନ ସ୍ଥାନରେ ୩ ଦିନ ଧରି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଲଘୁଚାପକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲଘୁଚାପ ଉପରେ ସତର୍କ ଦୃଷ୍ଟି ରଖିବା ସହ ବର୍ଷା ପରିମାଣ ରିପୋର୍ଟ କାର୍ଯ୍ୟାଳୟକୁ ନିରନ୍ତର ପଠାଇବାକୁ କୁହାଯାଇଛି। କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସକାଶେ ଜିଲା ପ୍ରଶାସନକୁ ସତର୍କ କରାଯାଇଛି। ଲଘୁଚାପ ଯୋଗୁ ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ଲାଗି ରହିବ। ୯ ତାରିଖ ସନ୍ଧ୍ୟାରୁ ବଲାଙ୍ଗୀର, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଢେଙ୍କାନାଳ ଜିଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୦ ତାରିଖରେ ବର୍ଷା ପରିମାଣ ବଢିବ। କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ କନ୍ଧମାଳ ଏବଂ କଳାହାଣ୍ଡି ଜିଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଏଲୋଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୧୧ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ୧୩ ତାରିଖରେ ନୂଆପଡା, ବଲାଙ୍ଗୀର, ନବରଙ୍ଗପୁର ଏବଂ ବରଗଡ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସତର୍କ କରାଯାଇଛି। ଲଘୁଚାପ ଯୋଗୁ ସମୁଦ୍ର ଅଶାନ୍ତ ରହିବ। ୧୦ ରୁ ୧୨ ତାରିଖ ଯାଏ ସମୁଦ୍ରକୁ ମାଛ ଧରିବା ଲାଗି ନ ଯିବା ସକାଶେ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି।

Share