ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୨୫।୭(ବ୍ୟୁରୋ): ରାଜ୍ୟରେ ଗତ ଦୁଇ ସପ୍ତାହ ହେବ ବର୍ଷା ଉଭାନ ହୋଇଯାଇଛି। କାଁ ଭାଁ କେଉଁଠି ଅସରାଏ କିମ୍ବା ଦି’ ଅସରା ବର୍ଷା ହେଉଛି। ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ହେବ। ଉତ୍ତର-ପଶ୍ଚିମ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ମଧ୍ୟରାତ୍ରିରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତ୍‌ସିଂହପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ ଆଦି ଜିଲାରେ ପ୍ରବଳ ବର୍ଷା ହେବ। ଏପରି କି କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖରେ ଲଘୁଚାପ ଦିନତମାମ ବର୍ଷିବ। ୨୮ ତାରିଖରେ ବର୍ଷା ପରିମାଣ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ କହିଛି। ଏଥିସହିତ ରାଜ୍ୟର ଅନ୍ୟାନ୍ୟ ଭାଗରେ ମଧ୍ୟ ବର୍ଷା ପରିମାଣ ବଢ଼ିବ ବୋଲି ଅନୁମାନ କରାଯାଉଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଅଳ୍ପ କେତେକ ସ୍ଥାନରେ ବର୍ଷା ହୋଇଛି। କେନ୍ଦୁଝରରେ ୩୧.୬% ବର୍ଷା ହୋଇଥିବା ବେଳେ ବଲାଙ୍ଗୀର ୧୫ ଏବଂ କୋରାପୁଟରେ ୨୪.୨% ବର୍ଷା ରେକର୍ଡ କରାଯାଇଛି। ଜୁନ୍‌ ପହିଲାରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୨%ରୁ କମ୍‌ ବର୍ଷା ହୋଇଛି।

Share