ଲଘୁ ଖଣିଜ ଖାଦାନ ଉପରେ ୧୪୪ ଧାରା

ଉଦଳା/ଖୁଣ୍ଟା, ୧୮।୮ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ଉପଖଣ୍ଡ ଜଙ୍ଗଲ ଇଲାକାରେ ଚାଲିଥିବା ଚୋରା ଲଘୁ ଖଣିଜ ପଦାର୍ଥ ଉତ୍ତୋଳନ, ଚୋରା ଚାଲାଣ, ପଥର ବ୍ଲାଷ୍ଟିଂ ଅବୈଧ କ୍ରସର ସ୍ଥାପନା ଆଦି ରୋକିବା ପାଇଁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଗତ ୨୯ ତାରିଖରେ ଉପଖଣ୍ଡସ୍ତରୀୟ ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରଶାସନିକ ଏ ଦିଗରେ ପଦକ୍ଷେପ ନେଇ ଲଘୁ ଖଣିଜ ଖାଦାନ ଉପରେ ୧୪୪ ଧାରା ଜାରି କରିଛି।
ଉପଖଣ୍ଡ ଉପଜିଲାପାଳ ଭଗବାନ ବେହେରାଙ୍କ କାର୍ଯ୍ୟାଳୟ ଚିଠି ନଂ. ୨୧୭୦/ ତା୮।୮।୨୦୧୯ ରିଖ ମତେ ଖୁଣ୍ଟା ତହସିଲ୍‌ ବଡପଥରା ଆରଆଇ ସର୍କଲ ଅଧୀନ ଗ୍ରାମ ବହଳଦା, ବାଲିପାଳ, ଗଣେଇ, ସୁବର୍ଣ୍ଣମଞ୍ଜରୀ, ସୋନପୋଖରୀ, ଯୋଡିଡିହା, ଡେଙ୍ଗାମ୍‌, ଅଣ୍ଡିଆଟିକିରା, ବିପ୍ରଚରଣପୁର ସମେତ ଭୋଳାଗଡିଆ ସର୍କଲର ଶ୍ରୀରାମପୁରରେ ୧୪୪ ଧାରା ଜାରି କରିବାକୁ ତହସିଲଦାର ଏବଂ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ତଦନୁଯାୟୀ ଖୁଣ୍ଟା ତହସିଲଦାର ପ୍ରିୟଦର୍ଶିନୀ ମଲ୍ଲିକ, ଆଇଆଇସି ନବକୃଷ୍ଣ ନାଏକ, ଡୁକୁରା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ଉପସ୍ଥିତିରେ ୧୪୪ ଧାରା ଜାରି କରାଯାଇଛି। ଡାକବାଜି ଯନ୍ତ୍ର ଦ୍ୱାରା ଏହା ଘୋଷଣା କରାଯାଇ ସେଠାରେ ନାଲି ପତାକା ପୋତାଯାଇଛ। ସେହିପରି ଉପଜିଲାପାଳ କପ୍ତିପଦାର ଶୁଖୁଆପଟା ଅଞ୍ଚଳକୁ ଗସ୍ତ କରି ସମ୍ପୃୃକ୍ତ ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣ ରୋକିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା ଚିଠି ନଂ.୨୨୦୩/ତା ୧୩।୮।୨୦୧୯ ଅନୁଯାୟୀ ଶୁଖୁଆପଟା ପାହାଡ ଅଞ୍ଚଳ କେତେକ ପ୍ଲଟରେ ୧୪୪ ଧାରା ଜାରି କରାଯାଇଛି ା ବେଆଇନ ଚୋରା ଚାଲାଣ ରୋକିବା ଲାଗି ରାଜସ୍ବ, ପୋଲିସ୍‌ ଏବଂ ବନବିଭାଗକୁ ନେଇ ସ୍କ୍ବାର୍ଡ ଗଠନ କରାଯାଇଛି ା ବେଆଇନ ମାଙ୍କଡା ପଥର ଓ ମୋରମ୍‌ ଖାଦାନ ସମେତ ପଥର ବ୍ଲାଷ୍ଟିଂ, ଅବୈଧ କ୍ରସର ଚାଳନା ଯୋଗୁଁ ସବୁଜ ବନାନୀ ନଷ୍ଟ ହୋଇ ପ୍ରାଣୀ ଜଗତ ପାଇଁ ବିପଦ ସୃଷ୍ଟି କରୁଥିବାରୁ ଏ ଦିଗରେ କଡା ଆଭିମୁଖ୍ୟ ଗ୍ରହଣ କରାଯାଉଥିବା ଉପଜଲାପାଳ କହିଛନ୍ତ।