Advertisement

ଲଟା ମଧ୍ୟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ପାଟଣା,୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ମାନପୁର ଗ୍ରାମ ମାନପୁର ଡେଣୁଆ ରାସ୍ତା ପାର୍ଶ୍ୱରେ ଥିବା ଏକ ବଗିଚାରୁ ରବିବାର ସକାଳେ ଏକ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ଶିଶୁଟି ସୁସ୍ଥ ଥିବା ବେଳେ ଆମ୍ବୁଲାନ୍ସ ଯୋଗେ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାନୁଯାୟୀ, ଗ୍ରାମର ମଧୁ ମାହାକୁଡ଼ ନିଜ ଘର ସମ୍ମୁଖରେ ଥିବା ବୋଇତାଳୁ ବଗିଚାକୁ ଯାଇଥିବା ବେଳେ ଶିଶୁଟି କାନ୍ଦୁଥିବା ଶୁଣିବାକୁ ପାଇଥିଲେ। ପରେ ଗ୍ରାମର ସାମାଜିକ କର୍ମୀ କୂଳମଣି ମହାନ୍ତ, ସୁବାସ ବାଘୁଆ ଏବଂ ରାଜୁ ମାହାକୁଡ଼ଙ୍କୁ ଡାକିଥିଲେ। ଗ୍ରାମବାସୀଙ୍କ ଉପସ୍ଥିତିରେ ଲଟା ମଧ୍ୟରୁ ଶିଶୁପୁତ୍ରକୁ ବାହାର କରାଯାଇ ସ୍ଥାନୀୟ ଆଶା କର୍ମୀ ବଉଳ ମହାନ୍ତଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଶିଶୁକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନିଆଯାଇଛି। ତେବେ ସେ ସୁସ୍ଥ ଥିବା ଆଶା କର୍ମୀ କହିଛନ୍ତି। ଶିଶୁଟିର ଲାହି ଲାଗିଥିବା ଦେଖିବାକୁ ମିଳିଛି। ଏଣୁ କେହି କୁମାରୀ ମା’ ଜନ୍ମଦେବାପରେ ଶିଶୁଟିକୁ ଲୋକଲଜ୍ୟା ଭୟରେ ନିର୍ଜନ ସ୍ଥାନରେ ଛାଡ଼ିଦେଇଥିବା ନେଇ ଚର୍ଚ୍ଚା ହେଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share