Categories: ବାଣିଜ୍ୟ

ଲଟେରି ଉପରେ ୨୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୯-୧୨: ପରୋକ୍ଷ ଟିକସ ବ୍ୟବସ୍ଥା ଜିଏସ୍‌ଟି ଲାଗି ନୀତି ନିର୍ଦ୍ଧାରଣ କରୁଥିବା ଜିଏସ୍‌ଟି ପରିଷଦ ବୈଠକରେ ବୁଧବାର ପ୍ରଥମଥର ଲାଗି ଭୋଟିଂ ହୋଇଥିବା ସାମ୍ନା ଆସିଛି। ଲଟେରି ଉପରେ ଟିକସ ଲାଗୁ ନେଇ ରାଜ୍ୟଗୁଡିକ ମଧ୍ୟରେ ଭିନ୍ନମତ ପ୍ରକାଶ ପାଇବାରୁ ଏଭଳି ସ୍ଥିତି ଦେଖାଯାଇଥିବା ଜଣାପଡିଛି। ଆସନ୍ତା ମାର୍ଚ୍ଚ ପହିଲାରୁ ସରକାରୀ ଏବଂ ଘରୋଇ ଲଟେରି ଉପରେ ଦ୍ୱୈତ ଜିଏସ୍‌ଟି ପରିବର୍ତ୍ତେ ଏକକ ୨୮% ଜିଏସ୍‌ଟି ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ପୂର୍ବର ୩୭ ଜିଏସ୍‌ଟି ପରିଷଦ ବୈଠକରେ ନିଷ୍ପତ୍ତିକୁ ନେଇ କୌଣସି ବିରୋଧ ହୋଇ ନ ଥିବା ଦେଖାଯାଇଥିଲା। ଏମିତିକି ବିଭିନ୍ନ ସାମଗ୍ରୀ ଓ ସେବାରେ ଟିକସର ହାର ନିର୍ଦ୍ଧାରଣ ପ୍ରସଙ୍ଗରେ ମଧ୍ୟ ଏଭଳି ଭୋଟ କେବେ ହୋଇ ନ ଥିଲା। ହେଲେ ୩୮ତମ ଜିଏସ୍‌ଟି ପରିଷଦ ବୈଠକରେ ଭିନ୍ନମତ ପ୍ରକାଶ ପାଇବାରୁ ସଂଖ୍ୟା ଗରିଷ୍ଠତା ଭିତ୍ତିରେ ନିଷ୍ପତ୍ତି ହୋଇଛି। ଲଟେରି ଉପରେ ୨୮% ଜିଏସ୍‌ଟି ଲାଗୁ ନେଇ ୨୧ ରାଜ୍ୟ ଭୋଟ ଦେଇଛନ୍ତି। ଏହି ପ୍ରସଙ୍ଗକୁ ୮ ରାଜ୍ୟ ବିରୋଧ କରିଥିବା ଜଣାପଡିଛି।
ବର୍ତ୍ତମାନ ରାଜ୍ୟ ସ୍ତରରେ ଲଟେରି ଉପରେ ୧୨% ଏବଂ ରାଜ୍ୟ ବାହାରେ ଲଟେରି ବିକ୍ରି ଉପରେ ୨୮% ଟିକସ ଲାଗୁ ହେଉଛି। ଲଟେରି ଶିଳ୍ପ ଏହାକୁ ବିରୋଧ କରି ଆସୁଛି। ଦ୍ୱେତ ବ୍ୟବସ୍ଥା ପରିବର୍ତ୍ତେ ଏକକ ୧୨% ଟିକସ ଲାଗୁ ଏବଂ ପ୍ରାଇଜ ମନି ଉପରେ ଟିକସ ଛାଡ ନେଇ ଶିଳ୍ପ ପକ୍ଷରୁ ଦାବି ହେଉଛି। ଏଭଳି ବିଭିନ୍ନ ପ୍ରସଙ୍ଗ ଲଟେରି ଶିଳ୍ପ ଅଭିବୃଦ୍ଧିରେ ଲାଗି ବାଧା ଉପୁଜାଉଥିବା ଶିଳ୍ପ ପକ୍ଷରୁ କୁହାଯାଇଛି। ରାଜ୍ୟ ଗୁଡିକ ମଧ୍ୟରେ ରହିଥିବା ମତ ପାର୍ଥକ୍ୟ ଦୂରୀକରଣ ଲାଗି ଜିଏସ୍‌ଟି ପରିଷଦ ପକ୍ଷରୁ ପୂର୍ବରୁ ମହାରାଷ୍ଟ୍ର ଅର୍ଥମନ୍ତ୍ରୀ ସୁଧୀର ମୁଙ୍ଗାଟିଓ୍ବାରଙ୍କ ଅଧ୍ୟକ୍ଷତାରେ ୮ ସଦସ୍ୟ ବିଶିଷ୍ଟ ଏକ ମନ୍ତ୍ରୀ ଗୋଷ୍ଠି ଗଠନ କରାଯାଇଥିଲା। ପରିଷଦ ଏହାର ଜୁଲାଇ ବୈଠକରେ ଉକ୍ତ ପ୍ରସଙ୍ଗ ଉପରେ ଆଟର୍ନି ଜେନେରାଲଙ୍କଠାରୁ ଆଇନଗତ ପରାମର୍ଶ ଲୋଡିଥିଲା। ଅପର ପକ୍ଷେ ଶିଳ୍ପର ସମସ୍ୟା ସମ୍ପର୍କରେ ପୂର୍ବରୁ ଅଲ ଇଣ୍ଡିଆ ଫେଡେରେଶନ ଅଫ୍‌ ଲଟେରି ଟ୍ରେଡ ଆଣ୍ଡ ଆଲାଏଡ ଇଣ୍ଡଷ୍ଟ୍ରି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଧ୍ୟାନ ଆକର୍ଷଣ କରାଯାଇଥିଲା।

Share