ଲଢ଼ିବାକୁ ହେବ ଲମ୍ବା ଯୁଦ୍ଧ

ନୂଆଦିଲ୍ଲୀ, ୭ା୪(ପି.ଟି.): କରୋନା ଭୂତାଣୁ ମହାମାରୀ ବିରୋଧରେ ଆମକୁ ଏକ ଦୀର୍ଘ ଯୁଦ୍ଧ ଲଢ଼ିବାକୁ ପଡିବ। ଏଥିପାଇଁ କ୍ଳାନ୍ତ ଅନୁଭବ ନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଭାରତ ଏହି ଲଢ଼େଇରେ ନିଶ୍ଚୟ ଜିତିବ ବୋଲି ସେ ଦୃଢ଼ତା ପ୍ରକାଶ କରିଛନ୍ତି। ଲକ୍‌ଡାଉନ ବେଳେ ଦେଶବାସୀ ଯେଭଳି ଗମ୍ଭୀରତା ଓ ପରିପକ୍ୱତା ପ୍ରଦର୍ଶନ କରିଛନ୍ତି ତାହା ଅଭୂତପୂର୍ବ। ଭାରତ ଭଳି ବିଶାଳ ଦେଶରେ ଏଭଳି ଶୃଙ୍ଖଳା ଓ ସେବା ମନୋଭାବ ପ୍ରଦର୍ଶନ କଳ୍ପନାତୀତ। ରବିବାର ରାତିରେ ୧୩୦ କୋଟି ଦେଶବାସୀ ଦୀପ ଜାଳି ରାଷ୍ଟ୍ରର ସାମୂହିକ ଶକ୍ତିକୁ ପ୍ରଦର୍ଶନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶବାସୀଙ୍କର ଏହି ସାମୂହିକ ଶକ୍ତି ଆମକୁ କରୋନା ଭୂତାଣୁ ବିରୋଧରେ ଲଢ଼େଇକୁ ଆହୁରି ମଜଭୁତ କରିଛି।
ଭାଜପାର ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କୋଭିଡ୍‌-୧୯ ବିରୋଧରେ ସରକାର ନେଉଥିବା ପଦକ୍ଷେପ ଓ ବିରୋଧୀ ଦଳଗୁଡ଼ିକର ସମାଲୋଚନାର ଉତ୍ତର ରଖିଥିଲେ। ଭାରତର ଉଦ୍ୟମ ବିଶ୍ୱ ସମ୍ମୁଖରେ ଦୃଷ୍ଟାନ୍ତ ସୃଷ୍ଟି କରିବା ସହ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଏବଂ ବିଦେଶୀ ନେତାମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ୍‌-୧୯ ମୁକାବିଲା ଲାଗି ଦେଶ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେବା ସହ ଏହାକୁ ସଫଳତାର ସହ କାର୍ଯ୍ୟକାରୀ କରିଛି। ତେବେ ସରକାର ଭୂତାଣୁ ବିରୋଧରେ ଠିକ୍‌ ସମୟରେ ଉପଯୁକ୍ତ ପଦକ୍ଷେପ ନେଇ ନ ଥିବା କଂଗ୍ରେସ ସମାଲୋଚନା କରିଛି। ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ଥର୍ମାଲ ସ୍କ୍ରିନିଂ ସମେତ ବିଦେଶରେ ଥିବା ଭାରତୀୟଙ୍କୁ ଫେରାଇ ଆଣିବା, ଚିକିତ୍ସା ଭିତ୍ତିଭୂମି ସୃଷ୍ଟି କରିବା ଭଳି ପଦକ୍ଷେପ ତାଙ୍କ ସରକାର ଗ୍ରହଣ କରିଥିବା ମୋଦି କହିଛନ୍ତି।

Share