Categories: ଖେଳ

ଲଢ଼େଇ କରି ଫେଡରରଙ୍କଠାରୁ ହାରିଲେ ନାଗଲ

ନ୍ୟୁୟର୍କ, ୨୭।୮ (ପି.ଟି.)- ନିଜର ପଦାର୍ପଣ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଖେଳିଥିବା ଭାରତୀୟ ଯୁବ ଟେନିସ ଖେଳାଳି ସୁମିତ୍‌ ନାଗାଲଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଏଠାରେ ଆରମ୍ଭ ହୋଇଥିବା ବର୍ଷର ଅନ୍ତିମ ତଥା ୪ର୍ଥ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ୍‌ର ପ୍ରଥମ ରାଉଣ୍ଡରେ ନାଗାଲଙ୍କ ମୁକାବିଲା ୨୦ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା କିମ୍ବଦନ୍ତୀ ଖେଳାଳି ରୋଜର ଫେଡରରଙ୍କ ସହ ହୋଇଥିଲା। ୨୨ ବର୍ଷୀୟ ନାଗଲ ଏହି ମ୍ୟାଚ୍‌ରେ ଲଢ଼େଇ କରିଥିଲେ ମଧ୍ୟ ୬-୪, ୧-୬, ୨-୬, ୪-୬ ସେଟ୍‌ରେ ଟେନିସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ଫେଡରରଙ୍କ ନିକଟରୁ ପରାଜୟବରଣ କରିଥିଲେ। ପ୍ରଥମ ସେଟ୍‌କୁ ନାଗଲ ୬-୪ରେ ଜିତିନେଇ ଦୃଢ଼ ଆରମ୍ଭ କରିଥିଲେ। କିନ୍ତୁ ପରବର୍ତ୍ତୀ ୩ଟି ସେଟ୍‌କୁ କବ୍‌ଜା କରି ଫେଡରର ମ୍ୟାଚ୍‌କୁ ଏକପାଖିଆ ଭାବେ ଜିତିନେଇଥିଲେ। ଗତ ୨୦ ବର୍ଷ ମଧ୍ୟରେ ଚତୁର୍ଥ ଭାରତୀୟ ଟେନିସ ଖେଳାଳି ଭାବେ ନାଗଲ କୌଣସି ଗ୍ରାଣ୍ଡସ୍ଲାମର ମୁଖ୍ୟ ପର୍ଯ୍ୟାୟକୁ ପ୍ରବେଶ କରିଥିଲେ। ନାଗଲଙ୍କ ପୂର୍ବରୁ ସୋମଦେବ ଦେବକୁମାର, ୟୁକି ଭାମ୍ବ୍ରୀ ଓ ସାକେଥ୍‌ ମାଇନେନି ଗ୍ରାଣ୍ଡସ୍ଲାମ ମୁଖ୍ୟ ପର୍ଯ୍ୟାୟରେ ଖେଳିବାର ସେଭାଗ୍ୟ ଲାଭ କରିଥିଲେ। ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲେ ମଧ୍ୟ ନାଗଲ ୫୮ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ପାଖାପାଖି ୪୧ ଲକ୍ଷ ୫୮ ହଜାର ଟଙ୍କା) ୟୁଏସ୍‌ ଓପନ୍‌ରୁ ଅର୍ଜନ କରିଛନ୍ତି। ‘ପ୍ରଥମ ସେଟ୍‌ ମୋ ପାଇଁ ବହୁତ କଷ୍ଟସାଧ୍ୟ ରହିଥିଲା। ନାଗଲ ବହୁତ ଭଲ ଖେଳିଲେ ଏବଂ ସେଥିଲାଗି ସମସ୍ତ ଶ୍ରେୟ ତାଙ୍କୁ ଦିଆଯିବ। ତେବେ ଆଶାନୁଯାୟୀ ଶେଷରେ ଭଲ ଫଳାଫଳ ରହିଥିଲା’ ବୋଲି ଫେଡରର ମ୍ୟାଚ୍‌ ପରେ କହିଛନ୍ତି।

Share