ଲଣ୍ଡନରୁ ଫେରିବା ପରେ ଆଇସୋଲେଶନ୍‌ରେ ଅନୁପ ଜଲୋଟା

ମୁମ୍ବାଇ: ମହାମାରୀ ରୂପ ନେଇଥିବା ଭୟଙ୍କର କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସାରା ବିଶ୍ୱ ଯଥା ସମ୍ଭବ ଉଦ୍ୟମ ଚଳାଇଛି। ଏହି ସଂକ୍ରମଣ ବୃଦ୍ଧ ଓ ପିଲାଙ୍କୁ ସବୁଠାରୁ ଅଧିକ ସଂକ୍ରମିତ କରୁଛି। ଇତିମଧ୍ୟରେ ସଙ୍ଗୀତ ଜଗତରେ ନିଜର ପରିଚୟ ସୃଷ୍ଟି କରିପାରିଥିବା ୬୬ ବର୍ଷୀୟ ଭଜନ ସମ୍ରାଟ ଅନୁପ ଜଲୋଟାଙ୍କୁ ଏକ ହୋଟେଲରେ ଆଇସୋଲେଶନ୍‌ରେ ରଖାଯାଇଥିବା ଜଣାପଡ଼ିଛି। ଏନେଇ ସୋସିଆଲ ମିଡିଆରେ ଅନୁପ ଏକ ଫଟୋ ଶେୟାର କରିବା ସହ ଆଇସୋଲେଶନ୍‌ରେ ଥିବା ନେଇ ସୂଚନା ଦେଇଛନ୍ତି। ଏହି ଫଟୋରେ ତାଙ୍କୁ ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ସକାଳେ ଅନୁପ ଲଣ୍ଡନରୁ ମୁମ୍ବାଇକୁ ଫେରିଥିଲେ। ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ପହଞ୍ଚିବା ପରେ ଏକ ଡାକ୍ତରୀ ଦଳର ତାଙ୍କୁ ସ୍କାନିଂ କରିଥିଲେ। ଏହାପରେ ତାଙ୍କୁ ହୋଟେଲ ମିରାଜରେ ଆଇସୋଲେଶନ୍‌ କରି ରଖାଯାଇଥିଲା। କେବଳ ତାଙ୍କୁ ନୁହେଁ ୬୦ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉକ୍ତ ହୋଟେଲରେ ଆଇସୋଲେଶନ୍‌ କରି ରଖାଯାଇଛି। ଏକ ୨୫ଜଣିଆ ଡାକ୍ତରୀ ଦଳ ସେମାନଙ୍କର ପରୀକ୍ଷା କରୁଥିବା ସୂଚନା ମିଳିଛି। ତେବେ ୬୦ ବର୍ଷରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଦିଆଯାଉଥିବା ମେଡିକାଲ କେୟାରକୁ ଅନୁପ ପ୍ରଶଂସା କରିଛନ୍ତି।

Share