ଲଣ୍ଡନ ବ୍ରିଜ୍‌ ଆକ୍ରମଣରେ ୨ ମୃତ

ଲଣ୍ଡନ,୧ା୧୨(ପି.ଟି.): ଲଣ୍ଡନ ବ୍ରିଜ୍‌ରେ ଶୁକ୍ରବାର ଜଣେ ଆତଙ୍କବାଦୀଙ୍କ ଛୁରାମାଡ଼ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୩ ଆହତ ହୋଇଥିଲେ। ପୋଲିସ ଗୁଳିରେ ଆକ୍ରମଣକାରୀ ନିହତ ହୋଇଛନ୍ତି। ଲଣ୍ଡନ ଷ୍ଟକ୍‌ ଏକ୍ସଚେଞ୍ଜ ବିସ୍ଫୋରଣ ଘଟଣାରେ ସେ ଦୋଷୀସାବ୍ୟସ୍ତ ହୋଇ ୭ ବର୍ଷ ଜେଲ୍‌ ଯାଇଥିଲେ। ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ତାଙ୍କର ପରିବାର ରହୁଛନ୍ତି। ସେଠାରେ ସେ ଏକ ଆତଙ୍କବାଦୀ ତାଲିମ ଶିବିର ଖୋଲିଥିବା ଜଣାପଡିଛି। ଉସ୍‌ମାନ ଖାନ୍‌ ନାମକ ଏହି ଆତଙ୍କବାଦୀ ମୁମ୍ବାଇ ଷ୍ଟାଇଲ୍‌ରେ ବ୍ରିଟେନ ପାର୍ଲାମେଣ୍ଟ ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ୨୦୧୨ରେ ତାଙ୍କୁ ଦଣ୍ଡିତ କରିଥିବା ବିଚାରପତି କହିଛନ୍ତି। ଉସ୍‌ମାନ ଶୁକ୍ରବାର ପାରୋଲରେ ବାହାରିବା ପରେ ଆକ୍ରମଣାତ୍ମକ ହୋଇଯାଇଥିଲେ। ସେ ଲଣ୍ଡନ ବ୍ରିଜ୍‌ରେ ପହଞ୍ଚତ୍ ଆଖିବୁଜା ଛୁରାମାଡ଼ କରିଥିଲେ। ପୋଲିସ ଗୁଳିରେ ନିହତ ହେବା ପୂବରୁ ସେ ଦୁଇ ଜଣଙ୍କୁ ହତ୍ୟା କରିବା ସହ ଅନ୍ୟ ୩ ଜଣଙ୍କୁ ଆହତ କରିଥିଲେ। ୨୮ ବର୍ଷୀୟ ଉସ୍‌ମାନ ଷ୍ଟାଫୋର୍ଡଶାୟାର ଅଞ୍ଚଳରେ ରହୁଥିଲେ। ତାଙ୍କର ଅଲ୍‌-କାଏଦା ସହ ସମ୍ପୃକ୍ତି ଥିବା ବିଶ୍ୱାସ କରାଯାଉଥିଲା। ଏଥିସହିତ ଆଇଏସ୍‌ ଆତଙ୍କବାଦୀ ସଂଗଠନ ସହ ତାଙ୍କର ସମ୍ପର୍କ ଥାଇପାରେ ବୋଲି କୁହାଯାଉଛି।

Share