Categories: ଜାତୀୟ

ଲଦାଖରେ ବ୍ରିଜ୍‌ ଉଦ୍‌ଘାଟନ କଲେ ରାଜନାଥ: ପାକ୍‌ ଅନୁପ୍ରବେଶ ନ ରୋକିଲେ ଠିକଣା ଜବାବ ଦିଆଯିବ

ଲେହ,୨୨ା୧୦(ପି.ଟି.): ଭାରତ ବିରୋଧୀ କାର୍ଯ୍ୟକଳାପ ବନ୍ଦ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି। ଇସ୍‌ଲାମାବାଦ ଯଦି ଅନୁପ୍ରବେଶ ବନ୍ଦ ନ କରେ ତେବେ ଭାରତୀୟ ସେନା ଏହାର ଠିକଣା ଜବାବ ଦେବ। ସୋମବାର ରାଜନାଥ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟବର୍ତ୍ତୀ ପୂର୍ବ ଲଦାଖର ଶ୍ୟୋକ୍‌ ନଦୀ ଉପରେ କଲୋନେଲ୍‌ ଚଓ୍ବୋଙ୍ଗ ରିନ୍‌ଚେନ୍‌ ବ୍ରିଜ୍‌ ଉଦ୍‌ଘାଟନ ଅବସରରେ ଏହା କହିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ, ପଡୋଶୀ ଦେଶ ଆତଙ୍କବାଦୀ କାର୍ଯ୍ୟକୁ ସମର୍ଥନ ଦେଇ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଛନ୍ତି। ରବିବାର ଭାରତୀୟ ଯବାନଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ପିଓକେରେ ୩ଟି ଆତଙ୍କବାଦୀ ଶିବିର ଧ୍ୱଂସହେବା ସହ ଅନେକ ଆତଙ୍କବାଦୀ ଓ ୧୦ ପାକ୍‌ ସୈନ୍ୟ ନିହତ ହୋଇଥିଲେ। ଡର୍‌ବୁକ ଓ ଦୌଲତ ବେଗ୍‌ ଓଲ୍‌ଡିକୁ ସଂଯୋଗ କରୁଥିବା ଚଓ୍ବୋଙ୍ଗ ରିନ୍‌ଚେନ୍‌ ବ୍ରିଜ୍‌ ସୀମା ସଡ଼କ ସଂଗଠନ (ବିଆର୍‌ଓ) ପକ୍ଷରୁ ନିର୍ମାଣ କରାଯାଇଛି। ଦୀର୍ଘ ୩୫ ବର୍ଷ ପରେ ପର୍ଯ୍ୟଟକଙ୍କ ପାଇଁ ସିଆଚେନ୍‌ ଖୋଲାଯାଇଥିବା ରାଜନାଥ କହିଛନ୍ତି। ଉଦ୍‌ଘାଟନ ଉତ୍ସବରେ ସେନା ମୁଖ୍ୟ ଜେନେରାଲ ବିପିନ ରାଓ୍ବତ, ଉତ୍ତରାଞ୍ଚଳ କମାଣ୍ଡ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂ, ଲଦାଖ ଏମ୍‌ପି ଜମ୍ୟାଙ୍ଗ ସେରିଙ୍ଗ୍‌ ନମଗ୍ୟାଲ୍‌ ଉପସ୍ଥିତ ଥିଲେ।

Share