ଲଦ୍ଦାଖ,୩ ।୭: କରୋନା ମହାମାରୀ ଏବେ ସବୁ କ୍ଷେତ୍ର ଉପରେ ପ୍ରଭାବ ପକାଇ ସାରିଲାଣି । ବିଶେଷ ଭାବେ ପ୍ରଭାବିତ ହୋଇଥିବା ପର୍ଯ୍ୟଟନ ଶିଳ୍ପ କେବେ ଯେ ଅଣ୍ଟା ସଳଖି ଠିଆ ହେବ ତାହା ଏବେ ପ୍ରଶ୍ନ ହୋଇ ରହିଯାଇଛି । କିଛିଦିନ ହେବ କେଉଁଠି କେଉଁଠି ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିବା ବେଳେ ଏବେ ପୁଣିଥରେ ଅଧିକାଂଶ ସ୍ଥାନରେ ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ଏବେ ଲଦ୍ଦାଖ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଆର୍ଟି-ପିସିଆର୍ ନେଗେଟିଭ୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । କିଛିଦିନ ହେବ ଏଠାରେ ସଂକ୍ରମଣ କମ୍ ଥିବା ବେଳେ ଟେଷ୍ଟ ଅନ୍ ଆରାଇଭାଲ ସୁବିଧା ରଖାଯାଇଥିଲା । ହେଲେ ପୁଣିଥରେ ଏଠାରେ ସଂକ୍ରମଣ ବୃଦ୍ଧି ପାଇଥିବାରୁ ଏବେ ସେଠାରେ ଆର୍ଟି-ପିସିଆର୍ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି । ଉଭୟ ସଡ଼କ ପଥ ଓ ଆକାଶମାର୍ଗରେ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହା ଲାଗୁ କରାଯିବ । ଲଦ୍ଦାଖ ପର୍ଯ୍ୟଟନ ବିଭାଗ କହିଛି ଯେଉଁମାନେ ୯୬ ଘଣ୍ଟା ମଧ୍ୟର ରିପୋର୍ଟ ନ ଆଣିଥିବେ ସେମାନଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ ।