ଲରମ୍ଭା ପୋଲିସ ଦ୍ୱାରା ୨୭ ଦାଦନ ଶ୍ରମିକ ଉଦ୍ଧାର, ଘଟଣାସ୍ଥଳରୁ ସର୍ଦ୍ଦାର ଫେରାର

ପାଟଣାଗଡ,୨୫।୧୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ପାଟଣାଗଡ ଉପଖଣ୍ଡସ୍ଥ ଲରମ୍ଭା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଉକ୍ତ ଥାନା ଅନ୍ତର୍ଗତ ଜୁରିଆ ଗ୍ରାମଠାରେ କିଛି ଦାଦନ ଶ୍ରମିକ ଅନ୍ୟ ଜିଲା ଆସ୍କାକୁ ଇଟା ଗଢିବାକୁ ଯାଉଥିବା ପୋଲିସ ଖବର ପାଇଥିଲା। ପରେ ଚଢ଼ାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରାଯାଇଛି। ଶ୍ରମିକମାନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଏବଂ ୧୦ ଜଣ ମହିଳା, ୫ ଜଣ ଛୋଟ ଶିଶୁ ଅଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକ ମାନେ ଖପ୍ରାଖୋଲ ବ୍ଲକ ଅନକାମରା ଏବଂ ଛତିଶଗଡ ରାଜ୍ୟ ରାୟଗଡ ଜିଲାର ଡୁମେରପାଲି ଗ୍ରାମର ରହିଥିବା ଜଣାଯାଇଛି। ତେବେ ଘଟଣାସ୍ଥଳରୁ ଦାଦନ ସର୍ଦ୍ଦାର ଫେରାର ହୋଇଥିବା ବେଳେ ଉଦ୍ଧାର ଶ୍ରମିକ ମାନଙ୍କୁ ଲରମ୍ଭା ଥାନାକୁ ନିଆଯାଇଛି।

ସୂଚନାଯୋଗ୍ୟ, ଖପ୍ରାଖୋଲ ଥାନା ଅନ୍ତର୍ଗତ ଡୁଡ଼ୁକିପଦର ଗ୍ରାମର ସର୍ଦ୍ଦାର ଅଙ୍ଗଦ ସିଂ କୁମ୍ଭାର ଶ୍ରମିକମାନଙ୍କୁ ୨୫ ହଜାର ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରିମ ଆକାରରେ ଦେଇଥିବା ଶ୍ରମିକ ମାନେ କହିଛନ୍ତି। ଲରମ୍ଭା ପୋଲିସ ବେଲପଡାଠାରେ ଥିବା ଶ୍ରମ ବିଭାଗର ଗ୍ରାମୀଣ ଶ୍ରମ ନିରୀକ୍ଷକ ଦିବ୍ୟଶଙ୍କର ଧରୁଆଙ୍କୁ ଖବର ଦେବାପରେ ଶ୍ରମ ନିରିକ୍ଷକ ଲରମ୍ଭା ଥାନାରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଲରମ୍ଭା ପୋଲିସ ସର୍ଦ୍ଦାର ଅଙ୍ଗଦଙ୍କ ନାମରେ ଏକ ମାମଲା ରୁଜୁ କରି ସମସ୍ତ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଛନ୍ତି।

Share