ଲଲାଟ ଇନ୍ଦୁ ପରିଜାଙ୍କ ଦେହାନ୍ତ

ଭୁବନେଶ୍ୱର, ୨୭।୮(ବ୍ୟୁରୋ): ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଲଲାଟ ଇନ୍ଦୁ ପରିଜାଙ୍କର ସୋମବାର କଟକସ୍ଥିତ ଏକ ଘରୋଇ ନର୍ସିଂହୋମରେ ହୃଦଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସ୍ବର୍ଗତ ପରିଜା ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପ୍ରମୁଖ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବା ସହ ଦୁଇ ଥର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଖ୍ୟାତନାମା ବୈଜ୍ଞାନିକ ତଥା ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ପ୍ରାଣକୃଷ୍ଣ ପରିଜାଙ୍କର ସେ ସୁପୁତ୍ର ଥିଲେ। ସ୍ବର୍ଗତ ପରିଜା ଏକାଧାରରେ ଜଣେ ବରିଷ୍ଠ ପ୍ରଶାସକ, ସୁବକ୍ତା, ଉଚ୍ଚକୋଟୀର କ୍ରିକେଟ ଖେଳାଳି ଏବଂ ପ୍ରମୁଖ ସ୍ତମ୍ଭକାର ଭାବେ ଜଣାଶୁଣା ଥିଲେ। ସେ ଓଡ଼ିଶା ରଣଜୀ କ୍ରିକେଟ ଦଳର ଅଧିନାୟକ ମଧ୍ୟ ରହିଥିଲେ। ଗତ ମାର୍ଚ୍ଚ ମାସରେ ପରିଜାଙ୍କ ଲିଖିତ ପୁସ୍ତକ ‘ଫେଟ୍‌ ଟେକ୍‌ସ ଏ ହ୍ୟାଣ୍ଡ’ ଉନ୍ମୋଚନ ହୋଇଥିଲା। ଏହି ପୁସ୍ତକରେ ସେ ଓଡ଼ିଶା ସରକାରଙ୍କ ଅଧୀନରେ ନିଜ ୪୦ ବର୍ଷର ପ୍ରଶାସନିକ ଜୀବନ ଉପରେ ଆଲୋକପାତ କରିଛନ୍ତି। ଜିଲାପାଳ ପଦବୀଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ପଦବୀରେ ରହି ସେ ନିଜ କର୍ତ୍ତବ୍ୟ ବେଶ୍‌ ସମ୍ପାଦନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ଦୁଇ ପୁତ୍ର ଭରତ ଇନ୍ଦୁ ପରିଜା, ଜଗତ ଇନ୍ଦୁ ପରିଜା, ଦୁଇ ପୁତ୍ରବଧୂ, ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ରଘୁ ନନ୍ଦନ ଦାସ, ପୂର୍ବତନ ପ୍ରଶାସନିକ ଅଧିକାରୀ ଅଶୋକ ମହାନ୍ତି, ଜିଲାପାଳ ଭବାନୀ ଶଙ୍କର ଚୟନୀ, ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ, ଜେଲ ଆଇଜି ସତ୍ୟଜିତ ମହାନ୍ତି, ପୂର୍ବତନ ବିଚାରପତି ସି.ଆର. ପାଲ, ଓପିଏସ୍‌ସି ଅଧ୍ୟକ୍ଷ ଏଲ.ସି. ପଟ୍ଟନାୟକ, ପୂର୍ବତନ ମୁଖ୍ୟ ଶାସନ ସଚିବ ଆର.ଏନ. ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। କଟକ ଖାନ୍‌ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପରିଜାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ବ୍ୟକ୍ତ କରିଛନ୍ତି।