Categories: ଜାତୀୟ

ଲସ୍କର-ଇ-ତୋଏବାର ହିଟ୍‌ ଲିଷ୍ଟରେ ମୋଦି, ବିରାଟ

ନୂଆଦିଲ୍ଲୀ,୨୯।୧୦: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇପଡ଼ିଛନ୍ତି ଆତଙ୍କବାଦୀ ସଂଗଠନ। ଏହାପରେ ଭାରତରେ ଆତଙ୍କବାଦୀ ସଂଗଠନ ପକ୍ଷରୁ ଅଲ୍‌-ଇଣ୍ଡିଆ ଲସ୍କର-ଇ-ତୋଏବା ନାଁରେ ଏକ ନୂଆ ସଂଗଠନ ଲଞ୍ଚ୍‌ କରାଯାଇଛି। ଏଥିସହ ସଂଗଠନ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ କ୍ରିକେଟର ଅଧିନାୟକ ବିରାଟ କୋହଲି, ରାଷ୍ଟ୍ରପତି, ସ୍ବରାଷ୍ଟ୍ରମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ନାଁ ରହିଛି। ଏଥିସହ ଭାଜପାର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡା, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କ ନାଁ ମଧ୍ୟ ରହିଛି। ତେବେ ତାଲିକାର ସବୁଠାରୁ ଆଗରେ ମୋଦି ଓ ବିରାଟଙ୍କ ନାଁ ରହିଥିବା ଜଣାପଡ଼ିଛି। ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପାକିସ୍ତାନ ଉପରେ ଚାପ ପଡ଼ିବା ପରେ ଏବଂ ଭାରତୀୟ ସେନାଙ୍କ ଦ୍ୱାରା ନିହତ ହୋଇଥିବା ଆତଙ୍କବାଦୀଙ୍କ ପ୍ରତିଶୋଧ ନେବା ପାଇଁ ଏହି ନୂଆ ସଂଗଠନ କରାଯାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ପ୍ରଥମଥର ପାଇଁ ଆତଙ୍କବାଦୀଙ୍କ ଟାର୍ଗେଟରେ ଜଣେ କ୍ରିକେଟର ମଧ୍ୟ ରହିଛନ୍ତି। ଆସନ୍ତା ସପ୍ତାହରେ ଦିଲ୍ଲୀରେ ମ୍ୟାଚ ହେବାକୁ ଥିବା ବେଳେ ଏଥିରେ ବିରାଟ ଭାଗ ନେବେ। ଏହି ତାଲିକାକୁ ଏନ୍‌ଆଇଏ କାର୍ଯ୍ୟାଳକୁ ପଠାଯାଇଛି। ଆଉ ଏଥିରେ ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ଅଲ୍‌ ଇଣ୍ଡିଆ ଲସ୍କର-ଇ-ତୋଏବା ହାଇ ପାଓ୍ବାର କମିଟି କେରଳର କୋଝିକୋଡ ବୋଲି ଲେଖା ହୋଇଛି।

Share