ଲହଣ୍ଡାବୁଡ଼ ଗ୍ରାମରେ ଟିଭି ବିସ୍ଫୋରଣ: ମହିଳା ମୃତ, ସ୍ବାମୀ ଓ ଶିଶୁକନ୍ୟା ଗୁରୁତର

ସୁନ୍ଦରଗଡ଼,୨୨।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଧୁରୁଆଡିହି ଥାନା ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ ଶୁକ୍ରବାର ଅପରାହ୍ନରେ ଏକ ଅଘଟଣ ଘଟିଛି। ଟିଭି ବିସ୍ଫୋରଣ ହେବା ଯୋଗୁ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ବବି ନାଏକ। ସେହିଭଳି ଗୁରୁତରମାନେ ହେଲେ ବବିଙ୍କ ସ୍ବାମୀ ଡିଲେଶ୍ୱର ନାଏକ ଓ ୬ ମାସର ଶିଶୁକନ୍ୟା। ସୁନ୍ଦରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାରେ ଗୁରୁତରମାନଙ୍କ ଚିକିତ୍ସା ଜାରି ରହିଛି।

ସୂଚନାନୁଯାୟୀ, ଡିଲେଶ୍ୱର ଅପରାହ୍ନରେ ପରିବାର ସହ ବସି ଟିଭି ଦେଖୁଥିଲେ। ଏହି ସମୟରେ କୌଣସି କାରଣବଶତଃ ଟିଭିଟି ଶର୍ଟସର୍କିଟ ହୋଇ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଶବ୍ଦ ଶୁଣି ପଡ଼ୋଶୀମାନେ ତାଙ୍କ ଘରେ ପହଞ୍ଚି ୩ ଜଣଙ୍କ ଦେହରେ ନିଆଁ ଲାଗି ଯାଇଥିବା ଦେଖିବାକୁ ପାଇଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚିବା ପରେ ଆମ୍ବୁଲାନ୍ସ ଯୋଗେ ଗୁରୁତରମାନଙ୍କୁ ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ବବିଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଡିଲେଶ୍ୱର ଓ ଶିଶୁକନ୍ୟା ଗୁରୁତର ଅଛନ୍ତି।

ଘଟଣା ସମ୍ପର୍କରେ ଧୁରୁଆଡିହି ଥାନା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ପୋଲିସ ପକ୍ଷରୁ ଆମ୍ବୁଲାନ୍ସ ଡକାଯାଇଥିଲା। ଡାକ୍ତରଖାନାରେ କ’ଣ ଘଟଣା ଘଟିଛି ଆମ ପାଖରେ ଏବେ ତଥ୍ୟ ନାହିଁ। ହସ୍ପିଟାଲ ତରଫରୁ ସୂଚନା ମିଳିଲେ ସବିଶେଷ ଜାଣିହେବ ବୋଲି ସେ କହିଛନ୍ତି।

Share