ଲାଇବ୍ରେରି ବନାମ ଇ-ଲାଇବ୍ରେରି

ଅକ୍ଷୟ କୁମାର ମିଶ୍ର

ଜଗତ ପରିବର୍ତ୍ତନଶୀଳ, କିଛି କୃତ୍ରିମ କିଛି ପ୍ରାକୃତିକ। ଯେଉଁସବୁ ପରିବର୍ତ୍ତନର ବାହକ ମଣିଷ ସେସବୁକୁ ଅନ୍ଧ ଭାବରେ ଗ୍ରହଣ କରିନେବା ବୁଦ୍ଧିମାନ୍‌ର ପରିଚୟ ନୁହେଁ। ଯେଉଁସବୁ ପରିବର୍ତ୍ତନ ସମାଜ, ସଭ୍ୟତା ଓ ସଂସ୍କୃତି ପାଇଁ ବିପଦ ସୃଷ୍ଟି କରିଥାଏ, ସେସବୁ ପ୍ରତି କେବଳ ସତର୍କ ରହିଲେ ହେବନାହିଁ ସେଗୁଡ଼ିକୁ କେମିତି ରୋକାଯାଇପାରିବ ସେ ଦିଗରେ ଯତ୍ନବାନ୍‌ ହେବା ଜରୁରୀ। ନିଜ ବିଦ୍ୟା, ବୁଦ୍ଧି ଓ ବିବେକ ଖଟାଇ ଗ୍ରହଣ ଅଥବା ବର୍ଜନ କରିବା ଉଚିତ।
”ଏହା ବିଜ୍ଞାନର ଯୁଗ, ସବୁକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆଖିବୁଜି ଗ୍ରହଣ କରିନେବାକୁ ପଡ଼ିବ, ନଚେତ୍‌ ମଣିଷ ପଛରେ ପଡ଼ିଯିବ“ ଏମିତି କଥା ଆମେ କହିଥାଉ। ଉଚିତ ଅନୁଚିତ, ଉପକାରିତା ଅପକାରିତା ଦିଗଗୁଡ଼ିକ ପ୍ରତି ଆଦୌ ସଚେତନ ହେଉନା। ଫଳରେ ଆମ ଅଗୋଚରରେ ଏବଂ ଅଜାଣତରେ ଆମର ଏବଂ ଆମ ଭବିଷ୍ୟତ ପିଢ଼ିର କ୍ଷତି ହୋଇଚାଲେ। ସାଧାରଣତଃ ପାଶ୍ଚାତ୍ୟ ସଭ୍ୟତାରେ ଆମେ ଉଚ୍ଚ ପ୍ରଶଂସକ। ସେ ଦେଶଗୁଡ଼ିକରେ ଯାହା ହେଲା ତାକୁ ଆମ ଦେଶରେ ପ୍ରୟୋଗ ନ କରିବା ଯାଏ ଆମ ଆଖିକୁ ନିଦ ଆସେନା। ଥରୁଟିଏ ବିଚାରବିମର୍ଶ କରୁନା ସେ ଦେଶଗୁଡ଼ିକ ଆମଠାରୁ କେତେ ଉନ୍ନତ। ସେଠାକାର ପରିବେଶ ଆମ ପରିବେଶ ମଧ୍ୟରେ କ’ଣ ସବୁ ପାର୍ଥକ୍ୟ ଅଛି। ଯେମିତି ଡିଜିଟାଲାଇଜେଶନ ବର୍ତ୍ତମାନ ସମୟର ଏକ ଆହ୍ବାନ, ଏହା ଅପରିହାର୍ଯ୍ୟ। ଏହା ବ୍ୟତିରେକେ ବିକାଶ ବିପନ୍ନ ହେବା ସ୍ବାଭାବିକ। ଏହାର ଅର୍ଥ ନୁହେଁ ସବୁକ୍ଷେତ୍ରରେ ଡିଜିଟାଲ୍‌କୁ ଆପଣେଇନେବା। ଏଇ ଧରନ୍ତୁ ପୁସ୍ତକ ଓ ପଠନ।
ଡିଜିଟାଲ୍‌ ଯୁଗରେ ପୁସ୍ତକ ଓ ପଠନ ଉଭୟର ଗୁରୁତ୍ୱ ହ୍ରାସ ପାଇବାରେ ଲାଗିଛି। ଲାଇବ୍ରେରିକୁ ଇ-ଲାଇବ୍ରେରିରେ ରୂପାନ୍ତରିତ କରିବା ପାଇଁ ତପତ୍ରତା ଦେଖିବାକୁ ମିଳିଲାଣି। ସତରେ କ’ଣ କମ୍ପ୍ୟୁଟର କିମ୍ବା ମୋବାଇଲ୍‌ ଅଥବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍ସ ପୁସ୍ତକର ବିକଳ୍ପ ହୋଇପାରିବ? ହଁ, ଏହା ସତ୍ୟ ଯେ ସବୁ ଲେଖକଙ୍କ ସମସ୍ତ ପୁସ୍ତକକୁ ଗୋଟିଏ ପାଠାଗାରରେ ସ୍ଥାନିତ କରିବା ସମ୍ଭବ ନୁହେଁ। ଅପରପକ୍ଷରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଅବଲମ୍ବନକରି କୌଣସି ପାଠାଗାରକୁ ନ ଯାଇ ଆମେ ଯେକୌଣସି ପୁସ୍ତକକୁ ମୋବାଇଲରେ ଡାଉନଲୋଡ୍‌ କରିପାରିବା। କିନ୍ତୁ ମୋବାଇଲରେ ଏହି ପୁସ୍ତକଟିକୁ ଆମୂଳଚୂଳ ପଢ଼ିବା କ’ଣ ସମ୍ଭବ? ଏହାସତ୍ତ୍ୱେ ଇ-ପାଠାଗାର ଉପରେ ଗୁରୁତ୍ୱ ଅଧିକ ଦିଆଯାଉଛି। ଲେଖକ ଓ ପ୍ରକାଶକମାନେ ମଧ୍ୟ ପଛୁଆହେବାକୁ ଚାହାନ୍ତି ନାହିଁ। ସେମାନେ ମଧ୍ୟ ତପତ୍ର ନିଜ ପୁସ୍ତକଟିକୁ ଡିଜିଟାଲାଇଜ୍‌ଡ କରି ଇ-ମାର୍କେଟରେ ସାମିଲ ହେବାକୁ। ଏପରିକି ଦୈନିକ ଖବରକାଗଜ ଏବେ ଇ-ନ୍ୟୁଜ୍‌ପେପର ନାମରେ ସାମାଜିକ ଗଣମାଧ୍ୟମରେ ଉପଲବ୍ଧ। ମାସିକ ପତ୍ରିକା ସବୁ ଇ-ମାଗାଜିନ୍‌ ରୂପରେ ମିଳୁଛି। ଫଳରେ ନେଟ୍‌ ବାବଦକୁ ସାମାନ୍ୟ ଅର୍ଥ ବ୍ୟୟକରି ଲୋକେ ଓଡ଼ିଆ, ହିନ୍ଦୀ, ଇଂଲିଶ ତଥା ଅନ୍ୟ ଭାଷାର ସମସ୍ତ ଦୈନିକ ଖବରକାଗଜ ପାଉଛନ୍ତି। ମନ ଚାହିଁଲେ ଯେକୌଣସି ମାସିକ ପତ୍ରିକାକୁ ଡାଉନଲୋଡ୍‌ କରି ପଢ଼ିହେଉଛି। ହକରକୁ ଅପେକ୍ଷା କରିବାକୁ ପଡ଼ୁନି। ବହି ଦୋକାନ ପର୍ଯ୍ୟନ୍ତ ଯିବାର ଆବଶ୍ୟକତା ନାହିଁ। ଗଳ୍ପ, କବିତା, ପ୍ରବନ୍ଧ, ଉପନ୍ୟାସ, ନାଟକ, ଜୀବନୀ, ଭ୍ରମଣକାହାଣୀ ସବୁକିଛି ଇ-ପାଠକଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ। ପାଠାଗାର ପର୍ଯ୍ୟନ୍ତ ଯିବାକୁ ପଡ଼ୁନାହିଁ। ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ ଇଚ୍ଛାନୁଯାୟୀ ପୁସ୍ତକ ମିଳିପାରୁଛି। ହାତରେ ମୋବାଇଲ ଅଥବା କମ୍ପ୍ୟୁଟର, ନେଟ୍‌ୱର୍କ ଓ ନେଟ୍‌ ପ୍ୟାକ୍‌ ଥିଲେ ହେଲା।
ଏବେ ଇ-ଲାଇବ୍ରେରିର ଉପଯୋଗିତା ସମ୍ପର୍କରେ ଆଲୋଚନା କରିବା। ଜଣେ ପାଠକ ପାଠାଗାରକୁ ଯାଇ ତା’ ପସନ୍ଦର ପୁସ୍ତକଟି ଆଣି ପଢ଼ାଗୃହରେ ବସି ପଢ଼େ କିମ୍ବା ନିର୍ଦ୍ଧାରିତ ଦେୟ ଦେଇ ପୁସ୍ତକଟିକୁ କିଛିଦିନ ପାଇଁ ଘରକୁ ନେଇଆସେ। ବହିଟିକୁ ପଢ଼ିସାରି ଫେରସ୍ତ ଦିଏ। ପସନ୍ଦର ପୁସ୍ତକ ନ ମିଳିଲେ ପାଠାଗାର କର୍ତ୍ତୃପକ୍ଷଙ୍କୁ ସେ ଅବଗତ କରାଏ। ଫଳରେ ପାଠାଗାରର କର୍ତ୍ତୃପକ୍ଷ ଉକ୍ତ ପୁସ୍ତକଟିକୁ ଆଣି ପାଠାଗାରରେ ସ୍ଥାନିତ କରନ୍ତି। ପାଠକ ଖୁସି ହୁଏ, ପାଠାଗାରର କଳେବର ବୃଦ୍ଧିପାଏ। କିନ୍ତୁ ଇ-ପାଠାଗାରରେ ପାଠକଟି ପାଇଁ ଏହି ସୁବିଧା ଯେ ଉପଲବ୍ଧ ହେବ ଏଥିରେ ସନ୍ଦେହ ଅଛି। ପ୍ରଥମ କଥା ହେଲା, ପାଠାଗାରର ଗୋଟିଏ ଶାଖା ହୁଏତ ଇ-ପାଠାଗାର ହୋଇପାରେ। କେବଳ ଇ-ପାଠାଗାରର ପ୍ରତିଷ୍ଠା ପରିକଳ୍ପନା ଜହ୍ନ ରାଇଜରେ ଜାଗା କିଣିବା ସହ ସମାନ। ପାଠକଟି ସେଠାକୁ ଯିବାକୁ ମନ ବଳାଇବ ନାହିଁ। ସେଠାରେ ହୁଏତ ମନ ଚାହୁଁଥିବା ପୁସ୍ତକଟିକୁ ଡାଉନଲୋଡ୍‌ କରିବାରେ ସହଜ ହେବ। କିନ୍ତୁ କମ୍ପ୍ୟୁଟର ପରଦାରେ ପଢ଼ିବା ସମସ୍ତଙ୍କ ପାଇଁ ସରଳ କିମ୍ବା ସହଜ ହେବନାହିଁ। ଦ୍ୱିତୀୟରେ ସବୁ ବହି ମାଗଣାରେ ମିଳିବ ନାହିଁ। ନିର୍ଦ୍ଧାରିତ ଅର୍ଥରାଶି ଜମା କଲାପରେ ଡାଉନଲୋଡ୍‌ କରିହେବ। ତୃତୀୟରେ ତିନି ଚାରିପୃଷ୍ଠା ହୁଏତ ପଢ଼ିବା ସମ୍ଭବ ହେବ। ଶତାଧିକ ପୃଷ୍ଠାର ପୁସ୍ତକ ପଢ଼ିବା ବେଳେ ଧୈର୍ଯ୍ୟଚ୍ୟୁତି ଘଟିବା ଥୟ। ଚତୁର୍ଥରେ ପୁସ୍ତକରେ ଥିବା ଦରକାରୀ ତଥ୍ୟଗୁଡ଼ିକୁ ଏକାଥରେ ପଢ଼ି ମନେରଖିବା ସହଜ ନୁହେଁ। ପଞ୍ଚମରେ ଦୀର୍ଘ ସମୟ କମ୍ପ୍ୟୁଟର ଜରିଆରେ ପଠନ ଚକ୍ଷୁ ଉପରେ ଯେ କୌଣସି କୁପ୍ରଭାବ ପକାଇବ ନାହିଁ ଏହା ମଧ୍ୟ କୁହାଯାଇ ପାରିବ ନାହିଁ। ଷଷ୍ଠରେ ଲେଖକ ଓ ପ୍ରକାଶକ ଉଭୟ ଅର୍ଥନୈତିକ ଭାବେ କ୍ଷତିଗ୍ରସ୍ତ ହେବା ଥୟ।
ଇ-ଲାଇବ୍ରେରି ଏବଂ ଇ-ପୁସ୍ତକର ପ୍ରଭାବ ପାଠକମାନଙ୍କ ଉପରେ ସିଧାସଳଖ ପଡ଼ିଲାଣି। ଏକେତ ପାଠକ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ସେଥିରେ ପୁଣି ଇ-ପାଠାଗାର ପଠନର ଅଭୀପ୍‌ସାକୁ ଅବଦମିତ କରୁଛି। ହାତ ପାଖରେ ବହିଟିଏ ଥିଲେ ପଢ଼ାରେ ଅଭ୍ୟାସ ନ ଥିବା ଲୋକଟି ମଧ୍ୟ ଦୁଇପୃଷ୍ଠା ପଢ଼ିବାକୁ ଇଚ୍ଛା କରେ। ଅପରପକ୍ଷେ ପଢ଼ାରେ ନିଶା ଥାଇ ବି ମନପସନ୍ଦର ପୁସ୍ତକଟି ନ ମିଳିଲେ ମନ ମାରିଦେବାକୁ ବାଧ୍ୟହୁଏ। ଏହି ପ୍ରଭାବ କେବଳ ପାଠକ ଉପରେ ପଡ଼ିନାହିଁ ବରଂ ପଡ଼ିଛି ପୁସ୍ତକ ଉପରେ, ପୁସ୍ତକ ବିକ୍ରୟ ଉପରେ, ପ୍ରକାଶକଙ୍କ ଉପରେ। ଏହାର ଚାକ୍ଷୁଷ ପ୍ରମାଣ ପାଇପାରିବା ଯଦି ଥରେ କୌଣସି ପୁସ୍ତକମେଳା ଆଡ଼େ ଘେରାଏ ବୁଲିଆସିବା। ରାଜ୍ୟର ମାସିକ ପତ୍ରିକା ଗୁଡ଼ିକର ଅବସ୍ଥା ଶୋଚନୀୟ।
ଏବେ ଇ-ପାଠାଗାରର ଭୂତଟା ବିଦ୍ୟାଳୟରେ ପହଞ୍ଚତ୍ଛି। ଇ-ପାଠାଗାର ଭିତରେ ପାଞ୍ଚ ସାତଟି କମ୍ପ୍ୟୁଟରକୁ ତିନି ଚାରିଶହ ପିଲା। ସେଥିରୁ କିଛି କମ୍ପ୍ୟୁଟର କାମ କରୁନାହିଁ। କମ୍ପ୍ୟୁଟର ଶିକ୍ଷା ସକାଶେ ଶିକ୍ଷକ ନାହିଁ କି ନାହିଁ ଲାଇବ୍ରେରିଆନ୍‌। ବହୁ ବିଦ୍ୟାଳୟ ଅଛି, ଯେଉଁଠି ପାଠ ପଢ଼ାଇବା ପାଇଁ ଶିକ୍ଷକ ନାହାନ୍ତି। ଲାଇବ୍ରେରିର ଉପଯୁକ୍ତ ଉପଯୋଗ ହେଉ ନ ଥିବା ବେଳେ ଇ-ଲାଇବ୍ରେରିର ବ୍ୟବହାର କେତେ ହେବ ତାହା ସମସ୍ତଙ୍କୁ ଜଣା। ବରଂ ପଠନ ପ୍ରକ୍ରିୟାରେ ଗଜାମରୁଡ଼ି ହେବ। ଇ-ପାଠାଗାର ଉପରେ ଗୁରୁତ୍ୱ ନ ଦେଇ ଛାତ୍ରୀଛାତ୍ରମାନେ କେମିତି ଅଧିକରୁ ଅଧିକ ବହି ପଢ଼ିବେ ସେ ଦିଗରେ ଧ୍ୟାନଦେବା ଉଚିତ। ସୃଜନଶୀଳତାର ବୃଦ୍ଧି ପାଇଁ ବିଦ୍ୟାଳୟରେ ମୋ କାହାଣୀ, ମୋ କବିତା କାର୍ଯ୍ୟକ୍ରମ ପ୍ରଶଂସନୀୟ। କିନ୍ତୁ ଇ-ପାଠାଗାରର ଉପକାରିତା ଓ ଅପକାରିତା ସମ୍ପର୍କରେ ତର୍ଜମା ହେବା ଆବଶ୍ୟକ। ମୋଟାମୋଟି ଭାବେ କହିବାକୁ ଗଲେ, ଅଭିନ୍ନ ତଥ୍ୟ ପାଇବା ପାଇଁ ଇ-ଲାଇବ୍ରେରି ସହାୟତା ପ୍ରଦାନ କରିପାରେ କିନ୍ତୁ ପାଠକ ଓ ପଠନର ଚାହିଦା ମେଣ୍ଟାଇବାରେ ଯେ ଅସମର୍ଥ ଏହା ନିଃସନ୍ଦେହ।
ସଭାପତି, ଓଷ୍ଟା
ମୋ:୯୯୩୮୭୬୩୨୩୭